ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ବାବା ବାଲକନାଥ

ସାଂସଦ ପଦ ଛାଡିଲେ ବାବା ବାଲକନାଥ, ହେବେ କି ମୁଖ୍ୟମନ୍ତ୍ରୀ ?

ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ବାବା ବାଲକନାଥ । ରାଜସ୍ଥାନର ଅଲୱର ଲୋକସଭା ଆସନରୁ ସାଂସଦ ଥିଲେ ବାବା ବାଲକନାଥ । ବିଜେପି ତରଫରୁ ରାଜସ୍ଥାନ ବିଧାନସଭା ନିର୍ବାଚନରେ ତିଜାରା ଆସନରୁ ଜିତିବା ପରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦାବିଦାର ଭାବେ ତାଙ୍କ ନାମକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ହେଉଛି । ଏହାପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଧାୟକ ଭାବେ ଲଢି ବିଜୟୀ ହୋଇଥିବା ବିଜେପି ସାଂସଦମାନେ ଗତକାଲି ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ମହନ୍ତ ବାଲକନାଥ ଯୋଗୀ ବାବା ମସ୍ତନାଥ ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି । ସେ ହିନ୍ଦୁ ଧର୍ମର ନାଥ ସଂପ୍ରଦାୟରୁ ୮ମ ମହନ୍ତ ଅଛନ୍ତି । ୨୦୧୬ ଜୁଲାଇ ୨୯ ତାରିଖରେ ମହନ୍ତ ଚାନ୍ଦନାଥ ଏକ ସମାରୋହରେ ବାଲକନାଥ ଯୋଗୀଙ୍କୁ ନିଜର ଉତ୍ତରାଧିକାରୀ ଭାବେ ଘୋଷଣା କରିଥିଲେ । ବାବା ବାଲକନାଥ ପ୍ରଥମଥର ପାଇଁ ୨୦୧୯ରେ ବିଜେପି ଟିକେଟରୁ ଅଲବର ଆସନରୁ ସାଂସଦ ଭାବେ ନିର୍ବାଚନ ଲଢିଥିଲେ । ସେ କଂଗ୍ରେସ ପ୍ରାର୍ଥୀ ଭଂବର ଜିତେନ୍ଦ୍ର ସିଂଙ୍କୁ ୩ ଲକ୍ଷରୁ ଅଧିକ ଭୋଟରେ ପରାଜିତ କରିଥିଲେ ।