ଆଜି ବାହାରିବ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ନିର୍ବାଚନ ଫଳାଫଳ

କିଏ ହାତେଇବ ୪ ରାଜ୍ୟର ସିଂହାସନ?

ଆଉ କିଛି ଘଂଟାର ଅପେକ୍ଷା । କିଏ ହାତେଇବ ୫ ରାଜ୍ୟର ସିଂହାସନ? କାହାକୁ ବାଛିଛନ୍ତି ଜନତା ଜନାର୍ଦ୍ଦନ । ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଆଜି ବାହାରୁଛି ୪ ରାଜ୍ୟର ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଏହି ସବୁ ରାଜ୍ୟରେ ଏବେ କାଉଣ୍ଟଡାଉନ ଆରମ୍ଭ ହୋଇ ସାରିଛି । ୨୩୦ ବିଧାନସଭା ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ଏଥର କଡା ଟକ୍କର ହୋଇପାରେ । ୨୦୧୮ରୁ ବିରୋଧୀ ଆସନରେ ବସିଥିବା କଂଗ୍ରେସ ବାଜି ମାରିପାରେ ବୋଲି ଏକଜିଟ ପୋଲରୁ କହି ସାରିଛି । ବିଜେପି କ୍ୟାମ୍ପରେ ଭୋଟକୁ ନେଇ ଅଙ୍କ କଷା ଚାଲିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଆଣ୍ଡ କୋ ଗାଦି ହାତେଇବା ନେଇ ଅଂଟା ଭିଡ଼ିଲେଣି। ସେପଟେ ୫ ବର୍ଷରେ ଥରେ କ୍ଷମତା ପରିବର୍ତନ ହେଉଥିବା ରାଜସ୍ଥାନରେ ହଲଚଲ । ବିଜେପି ନା କଂଗ୍ରେସ କିଏ ସରକାର ଗଢ଼ିବ ତାକୁ ନେଇ ଏକଜିଟ ପୋଲରେ ସମ୍ପୂର୍ଣ୍ଣ ଚିତ୍ର ଆସିନାହିଁ । ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଲାଗିରହିଥିବା ତିକ୍ତତା କଂଗ୍ରେସକୁ କେତେ ଫାଇଦା ଦେବ ତା ସମୟ କହିବ । ଛତିଶଗଡରେ ପୁଣି ଥରେ ସରକାର ଗଢିବା ପାଇଁ ଯାଉଛି କଂଗ୍ରେସ । ବିଭିନ୍ନ ଏକଜିଟ ପୋଲ ଏଥି ନେଇ ଆକଳନ କରି ସାରିଛନ୍ତି । ଭୋଟ ପ୍ରଚାର ଓ ଏକଜିଟ ପୋଲରୁ ଜଣାପଡୁଛି ଯେ ବିଜେପି ଛତିଶଗଡରେ ସରେଣ୍ଡର କରିସାରିଛି । ଦୀର୍ଘ ୨ ଟର୍ମ କ୍ଷମତାରେ ଥିବା କେସିଆରଙ୍କ ବିଆରଏସକୁ ଏଥର କୁଆଡେ ପ୍ରତ୍ୟାଖ୍ୟାନ କରୁଛନ୍ତି ଜନତା । ଭୋଟର ଅଳ୍ପ ଦିନ ଆଗରୁ ଭୋଟରଙ୍କ ମୁଡ଼ ପରଖି ନିଜ ଆଡକୁ କଂଗ୍ରେସ ଆଣିଥିବା ଚର୍ଚ୍ଚା ହେଉଛି । କଂଗ୍ରେସ ଏବଂ ବିଆରଏସ ମଧ୍ୟରେ ହେବାକୁ ଯାଉଛି ମହାଲଢେଇ । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଏହି ୪ ରାଜ୍ୟର ଫଳାଫଳ ଆଜି ବାହାରିବ। ଜନତା କାହାକୁ ବାଛିଛନ୍ତି ତାଙ୍କ ନେତା ରେଜଲ୍ଟରୁ ଜଣାପଡିବା ।