ଭୋଟିଂ ଡେ’ରେ ରାଜସ୍ଥାନରେ ହିଂସା

ମନ୍ତ୍ରୀଙ୍କ ଉପରକୁ ପଥରରେ ଆକ୍ରମଣ

ରାଜସ୍ଥାନ ବିଧାନସଭା ନିର୍ବାଚନ ବେଳେ ହିଂସା। ଭୋଟିଂ ଭିତରେ ମନ୍ତ୍ରୀଙ୍କୁ ଆକ୍ରମଣ । ଭୋଟିଂ ଚାଲିଥିବା ବେଳେ ଭିଲଓ୍ୱାଡା ଜିଲ୍ଲାର ମଣ୍ଡଳ ବିଧାନସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ଥିବା ତଥା ଗେହଲଟଙ୍କ ରାଜସ୍ୱ ମନ୍ତ୍ରୀ ରାମଲାଲ ଜାଟ୍‌ଙ୍କ ମରଣାନ୍ତକ ଆକ୍ରମଣ । ଜଣେ ବୟସ୍କ ବ୍ୟକ୍ତି ହାତରେ ପଥର ଧରି ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହି ସମୟରେ ମନ୍ତ୍ରୀଙ୍କ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଛନ୍ତି । ସେପଟେ ଏହି ଆକ୍ରମଣ ପାଇଁ ବିରୋଧୀ ଦଳକୁ ଦାୟୀ କରିଛନ୍ତି ମନ୍ତ୍ରୀ । ମୁଁ କାହାକୁ ଭୟ କରି ଅଟକି ନାହିଁ । ମଣ୍ଡଳବାସୀଙ୍କ ଆଶୀର୍ବାଦ ମୋ ସହ ଅଛି ବୋଲି ଆକ୍ରମଣ ପରେ ମନ୍ତ୍ରୀ ରାମଲାଲ କହିଛନ୍ତି। ସେହିପରି ଧୋଲପୁର ଜିଲ୍ଲା ବାଡି ବିଧାନସଭା ଅଞ୍ଚଳରେ ଫୁଟିଛି ଗୁଳି। ବିଧାନସଭା ନିର୍ବାଚନକୁ ନେଇ ଏହି ଗୁଳିମାଡ଼ ହୋଇଥିବା କୁହାଯାଉଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଅନ୍ୟପଟେ ଫତେପୁର ଶେଖାବତୀ ଦୁଇ ଗୋଷ୍ଠୀ ମଧ୍ୟ ସଂଘର୍ଷ ଦେଖାଦେଇଛି। ଏମାନେ ପରସ୍ପର ଉପରକୁ ପଥର ମାଡ଼ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଅନେକ ଲୋକଙ୍କୁ ଅଟକ ରଖିଛି।