‘ବିଶ୍ଵଦରବାରରେ ପହଞ୍ଚିବ ମାଣ୍ଡିଆର ବିଶେଷତ୍ଵ’
ଆଜି ରାଜ୍ୟରେ ପାଳନ ହୋଇଯାଇଛି ମାଣ୍ଡିଆ ଦିବସ । ପ୍ରତିବର୍ଷ ପରି ଚଳିତ ବର୍ଷର ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବେ ପାଳନ କରିଛି ଓଡ଼ିଶା । ସୂଚନା ଅନୁସାରେ ମଣ୍ଡିଆର ଗୁଣବତ୍ତା ତଥା ରାଜ୍ୟର ମହିଳାମାନଙ୍କ ଦ୍ଵାରା ପ୍ରସ୍ତୁତ ମଣ୍ଡିଆକୁ ବିଶ୍ଵ ଦରବାରରେ ପହଞ୍ଚାଇବାକୁ ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି । ୭ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ମିଲେଟ ମିଶନ ଏବେ ୩୦ ଜିଲ୍ଲାର ୧୭୭ ବ୍ଲକରେ କାର୍ଯ୍ୟକାରୀ ହେଉଛି । ଚାଉଳ ଓ ଗହମ ଭଳି ୧୫ଟି ଜିଲ୍ଲାରେ ରାସନରେ ମାଣ୍ଡିଆ ପ୍ରଦାନ କରାଯାଉଛି । ଏହାସହ ପ୍ରତି ଥାଳିରେ ମାଣ୍ଡିଆକୁ ବ୍ୟବହାର କରିବା ପାଇଁ ସ୍କୁଲର ମଧ୍ୟାହ୍ନଭୋଜନ, ଡାକ୍ତରଖାନା କ୍ୟାଣ୍ଟିନ, ସରକାରୀ କାର୍ଯ୍ୟାଳୟ ଓ ବୈଠକ, ହୋଟେଲ ମାନଙ୍କରେ ମାଣ୍ଡିଆକୁ ସାମିଲ କରାଯାଉଛି । ପୋଷକତତ୍ତ୍ବରେ ଭରା ମାଣ୍ଡିଆର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ପ୍ରଥମ ରାଜ୍ୟଭାବେ ଅନ୍ତର୍ଜାତୀୟ ପୃଷ୍ଟିଶସ୍ୟ ସମ୍ମିଳନୀ ଆୟୋଜନ କରି ପୂରା ବିଶ୍ବର ଦୃଷ୍ଟି ଆକର୍ଷଣ କରୁଛି ।
ଅନ୍ତର୍ଜାତୀୟ ସମ୍ମିଳନୀର ଆଜି ଦ୍ବିତୀୟ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି । ଏସଏଚଜି ଏସଏମଇରେ ରୂପାନ୍ତରିତ ହେବାରେ କିଭଳି ମାଣ୍ଡିଆ ଉପଯୋଗୀ ହୋଇଛି ସେନେଇ ଆଲୋଚନା କରାଯିବ । ରାଉଣ୍ଡଟେବୁଲ ବୈଠକରେ ମାଣ୍ଡିଆକୁ ବିଶ୍ବରେ ପହଞ୍ଚାଇବାକୁ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯିବ । ସେହିପରି ମାଣ୍ଡିଆକୁ ନେଇ କିପରି ଷ୍ଟାର୍ଟଅପ କରାଯାଇପାରିବ ସେନେଇ ମାନସମନ୍ଥନ କରାଯିବ । ପରିଶେଷରେ ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ୨୦୧୭ ମସିହାରେ ଓଡ଼ିଶାରେ ମିଲେଟ ମିଶନ ଆରମ୍ଭ କରାଯାଇଥିଲା । ୨୦୨୩କୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ପାଳନ କରାଯାଉଛି ।ସେପଟେ ରାଜ୍ୟବାସୀଙ୍କୁ ମାଣ୍ଡିଆ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।