କାହିଁକି ପାଳନ ହୁଏ ଧନତେରାସ ?

ଜାଣନ୍ତୁ କିପରି ଘରକୁ ଆସିବେ ଲକ୍ଷ୍ମୀ ?

ସୌଭାଗ୍ୟ ବା ଧନର ଦିନ ଧନତେରାସ । ଜାଣିଛନ୍ତି ହିନ୍ଦୁ ଧର୍ମରେ କାହିଁକି ପାଳନ ହୁଏ ଏହି ଧନତେରାସ ? କାହିଁକି ଏହିଦିନ ଲୋକମାନେ ସୁନା-ଚାନ୍ଦୀର ଅଳଙ୍କାର କିଣିଥାନ୍ତି ? ତେବେ ଏହା ପଛରେ ରହିଛି ଅନେକ କାରଣ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପାଳନ କରାଯାଏ । ଏହାକୁ ଧନର ଦିନ ବୋଲି କୁହାଯାଏ । ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଏହି ଦିବସକୁ ପାଳନ କରାଯାଏ । ହିନ୍ଦୁ ଧର୍ମର ପୂରାଣ ଅନୁଯାୟୀ ବିଶ୍ୱାସ ରହିଛି କି ଏହିଦିନ ସମୁଦ୍ର ମନ୍ଥନ ହେବାସହ ମାଆ ଲକ୍ଷ୍ମୀଙ୍କ ଆବିର୍ଭାବ ହୋଇଥିଲା । ପରବର୍ତ୍ତୀ ସମୟରେ ଅମୃତ କଳଶ ନେଇ ଭଗବାନ ବିଷ୍ଣୁ ହିଁ ଧନ୍ଵନ୍ତରୀ ରୂପେ ପ୍ରକଟ ହୋଇଥିଲେ ।

ଏଥିପାଇଁ ଏହି ଦିନକୁ ଧନତେରସ ରୂପେ ପାଳନ କରାଯାଏ । ଏହିଦିନ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଧନବନ୍ତରୀଙ୍କ ଉପାସନା କରାଯାଏ । ସେହିପରି ଏହିଦିନକୁ କୁବେରଙ୍କ ଦିନ ମଧ୍ୟ କୁହାଯାଏ ଏବଂ ଧନ ବୃଦ୍ଧି ପାଇଁ କୁବେରଙ୍କ ପୂଜା କରାଯାଏ । ଏଣୁ ଲୋକମାନେ ସୁନା ଗହଣା ସହିତ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ କିଣିଥାନ୍ତି । ଆଜିର ଦିନ ଘରକୁ ପରିଷ୍କାର କରିବା ସହ କିଛି ନୂଆ ଜିନିଷ କିଣାଯାଏ । ମୁଖ୍ୟ ଦ୍ବାରକୁ ସୁନ୍ଦର କରି ମାଆଙ୍କୁ ସ୍ବାଗତ କରାଯାଏ । କିଛି ମୂଲ୍ୟବାନ ଜିନିଷ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ବାସ ରହିଛି । ଧନତେରାସରେ ସୁନା କିଣିଲେ ଘରକୁ ଭାଗ୍ୟଦେବୀ ଆସନ୍ତି ବୋଲି ବିଶ୍ବାସ ରହିଛି । ଆଜି ଧନତେରାସ ପାଇଁ ସୁନା ବଜାର ଚଳଚଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି ।