ଶୀତରେ ଥରୁଛି ସାରା ଓଡ଼ିଶା !

୧୦ଡିଗ୍ରୀ ତଳେ ବିଭିନ୍ନ ସହର !

ଥରାଇଲାଣି ଶୀତ । ରାଜ୍ୟରେ ବର୍ତ୍ତମାନ ଜାରି ରହିଛି ଶୀତର ପ୍ରଭାବ । ୧୦ ଡିଗ୍ରୀ ତଳେ ରାଜ୍ୟର ପ୍ରାୟ ଅଧିକାଂଶ ସହରର ତାପମାତ୍ରା । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ । ଏହାର ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୬ ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

ଗୁରୁଚାପ ବଳୟ ସକ୍ରିୟ ଥିବାରୁ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବାହିତ ହେଉଛି । ଏଥିପାଇଁ କିଛି ସ୍ଥାନରେ ତାପମାତ୍ରା ଖସିଛି । ସୂଚନା ଅନୁସାରେ ଫୁଲବାଣୀ, ଦାରିଙ୍ଗବାଡି, କେନ୍ଦୁଝର ତଥା ମୟୂରଭଞ୍ଜରେ ଏବେ ଶୀତର ପ୍ରକୋପ ଦେଖିବାକୁ ମିଳୁଛି । ସକାଳେ କୁହୁଡିର ପ୍ରଭାବ ମଧ୍ୟ ବିଶେଷ ସ୍ଥାନରେ ଏଖିବାକୁ ମିଳୁଛି । ୧୪ ତାରିଖ ପରେ ଶୀତର ପ୍ରଭାବ ଆହୁରି ବଢିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।