ଗିରଫ ହେଲେ ଟୁଟୁ ନାୟକ

ଟୁଟୁ ନାୟକଙ୍କୁ ମହଙ୍ଗା ପଡିଲା ସାମ୍ବାଦିକାଙ୍କୁ ମାଡ଼ ମାରିବା

ଓଡ଼ିଆ ସାମ୍ବାଦିକାଙ୍କୁ ମାଡ ମାରି ଗିରଫ ହେଲେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ । ସାମ୍ବାଦିକା ଦେବସ୍ମିତାଙ୍କୁ ଶୁକ୍ରବାର ମାଡ଼ମାରିବା ମାମଲାରେ ଆଜି ଫିଲ୍ମ ପ୍ରଯୋଜକ ସଂଜୟ ନାୟକ (ଟୁଟୁ)ଙ୍କୁ ଜେଲ ଯିବାକୁ ପଡ଼ିଛି । ଭୁବନେଶ୍ବର ଏସ୍‌ଜିଏମ୍‌ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଟୁଟୁ ନାୟକ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି । ଏହି ସମୟ ମଧ୍ୟରେ ସେ ଝାରପଡ଼ା ଜେଲରେ ରହିବେ । ଏହି ମାମଲାରେ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ଆସନ୍ତା ୬ ତାରିଖ ଦିନ ପୁନଃ ଶୁଣାଣି ହେବ। ସରକାରୀ ଓକିଲ ଏହି ସୂଚନା ଦେଇଛନ୍ତି । ପ୍ରଯୋଜକ ଟୁଟୁ ନାୟକଙ୍କୁ କମିସନରେଟ୍‌ ପୁଲିସ ଆଜି ଗିରଫ କରିଥିଲା । ଗିରଫ ପୂର୍ବରୁ ଖାରବେଳ ନଗର ଥାନା ପୁଲିସ ଟୁଟୁ ନାୟକଙ୍କୁ ତାଙ୍କର ଭୁବନେଶ୍ବର ଘରୁ ଉଠାଇ ଆଣି ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରାଉଚରା କରିଥିଲା । ପରେ ତାଙ୍କୁ କୋର୍ଟରେ ହାଜର କରିଥିଲା। ଶୁକ୍ରବାର ଖବର ସଂଗ୍ରହ ସମୟରେ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିବା ଓ ଦୁର୍ବ୍ୟବହାର କରିବା ଭଳି ସଂଗିନ ଅଭିଯୋଗ ଆସିବା ପରେ ପୁଲିସ ଟୁଟୁ ନାୟକଙ୍କ ବିରୋଧରେ ପୁଲିସ କେସ୍‌ ନଂ-୫୫୩ରେ ଦଫା ୩୪୧, ୩୨୩, ୩୫୪ ଓ ୨୯୪ରେ ମାମଲା ରୁଜୁ କରିଥିଲା।