ଆଜି ନୂଆ ରାଜ୍ୟପାଳଙ୍କ ଶପଥ ପାଠ

ଦାୟିତ୍ଵ ଗ୍ରହଣ କରିବେ ରାଜ୍ୟପାଳ ରଘୁବର ଦାସ

ଆଜି ଶପଥ ନେବେ ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ଗତକାଲି ଓଡ଼ିଶାରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରି ରାଜଭବନରେ ରାତ୍ରି ଯାପନ କରିଥିଲେ । ତେବେ ଆଜି ରହିଛି ନବ ନିଯୁକ୍ତ ରାଜ୍ୟପାଳଙ୍କ ଶପଥପାଠ । ସୂଚନା ଅନୁଯାୟୀ ଦିନ ୧୧ଟା ୪୫ ମିନିଟରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।ଓଡ଼ିଶାର ୨୬ ତମ ରାଜ୍ୟପାଳ ଭାବେ ଦାୟିତ୍ବ ନେବେ ରଘୁବର ଦାସ। ନୂଆ ରାଜ୍ୟପାଳଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ। ରାଜ୍ୟପାଳଙ୍କ ସମେତ ୧୦୦ରୁ ଅଧିକ ଅତିଥି ରାଜଭବନ ଆସିଥିବା ଦେଖିବାକୁ ମିଳିଛି। ରଘୁବର ଦାସ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ସେ ପାଞ୍ଚ ଥର ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇଥିଲେ ।

୧୯୫୫ ମେ ୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ରଘୁବର ଭାଲୁବସା ହରିଜନ ହାଇସ୍କୁଲର ମ୍ୟାଟ୍ରିକ ଓ ଜାମସେଦପୁର କୋ-ଅପରେଟିଭ୍ କଲେଜରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ । ପରବର୍ତ୍ତୀ ସମୟରେ ସେ ଆଇନରେ ସ୍ନାତକ ଡ଼ିଗ୍ରୀ ହାସଲ କରି ଟାଟା କମ୍ପାନୀରେ ଯୋଗ ଦେଇଥିଲେ । ୧୯୭୭ରେ ଜନତା ପାର୍ଟିରେ ଯୋଗ ଦେଇଥିଲେ ଓ ପରେ ୧୯୮୦ରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ । ଜାମସେଦପୁର ପୂର୍ବ ବିଧାନସଭା ଆସନରୁ ବିଧାନସଭାକୁ ୧୯୯୫ରେନିର୍ବାଚିତ ହୋଇଥିଲେ । ୨୦୧୪ରେ ସେ ବିଜେପି ଜାତୀୟ କମିଟିରେ ସ୍ଥାନ ପାଇଥିଲେ ଓ ତାଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ପଦ ମିଳିଥିଲା । ମାତ୍ର ରାଜ୍ୟରେ ସେହିବର୍ଷ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବରେ ରଘୁବର ଦାସ ଅଧିଷ୍ଠିତ ହୋଇଥିଲେ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ ରଘୁବର ଦାସ । ତେବେ ଆଜି ଓଡ଼ିଶାର ରାଜ୍ୟପାଳ ଭାବେ କରିବେ ଦାୟିତ୍ଵ ଗ୍ରହଣ ।