ସ୍ବାଧିନତାର ୭୫ବର୍ଷ ପରେ ବି ମିଳୁନି ମୌଳିକ ସୁବିଧା !

ଗାଁକୁ ରାସ୍ତା ନାହିଁ ବୋଲି ୪ କିଲୋମିଟର ବୁହାହେଲା ଶବ !

ଦେଶ ସ୍ଵାଧୀନତାକୁ ବିତିଗଲାଣି ୭୫ ବର୍ଷ । ହେଲେ ଆଜି ବି ଅବହେଳିତ ଅବସ୍ଥାରେ ଅଛନ୍ତି ବହୁ ଗ୍ରାମବାସୀ । ଗାଁକୁ ପକ୍କା ରାସ୍ତା ଖଣ୍ଡେ ନଥିବା ଯୋଗୁଁ 4 କିଲୋମୋଟର ଯାଏଁ ବୁହା ହେଲା ଶବ । ଏ ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲଗୁଥିଲେ ବି ସତ । କୋକେଇରେ ଶବ ବୁହା ହେବାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି l ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଗୋଛବାଡ଼ି ଗ୍ରାମ ପଞ୍ଚାୟତ ଚାଞ୍ଚରା ଗାଁର ଜାଗିଲି ଶବରଙ୍କ ସ୍ତ୍ରୀ ସୁକୁମାରୀ ଶବରଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଗଲା । ତେଣୁ ପ୍ରଥମେ ପୋଲସରା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା।

ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତ ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଶବ ବ୍ୟବଚ୍ଛେଦ ପରେ ଗ୍ରାମ ଅଭିମୁଖେ ଆସିଥିଲା ମୃତଦେହ l ହେଲେ ଗାଁ କୁ ରାସ୍ତା ନଥିବା କାରଣରୁ ପାଲବା ଠାରୁ ଚାଞ୍ଚରା ପର୍ଯ୍ୟନ୍ତ ପ୍ରାୟ ୪ କିଲୋ ମିଟର ରାସ୍ତା କୋକେଇରେ ଶବକୁ ବୋହି ନେଇଥିଲେ ପରିବାର ଲୋକ। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି l ତେବେ ଏନେଇ ମୃତକଙ୍କ ପରିବାର ସଦସ୍ୟଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଘଟଣାଟି ଅତ୍ୟନ୍ତ ସ୍ପର୍ଶ କାତର ପରି ମନେ ହେଉଛି l