ରାଜଗାଙ୍ଗପୁର ବିଧାୟକଙ୍କୁ ଭୂରି ଭୂରି ପ୍ରଶଂସା

ହସ୍ପିଟାଲରେ ଚିକିତ୍ସା କଲେ ବିଧାୟକ

ରାଜଗାଙ୍ଗପୁର ବିଧାୟକଙ୍କ ସେବା ମନୋଭାବ ତାଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ପ୍ରଶଂସାର ପାତ୍ର କରିଛି । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଧାୟକ ଡକ୍ଟର ସିଏସ ରାଜେନ ଏକ୍କା ରୋଗୀଙ୍କ ଚିକିତ୍ସା କରିଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବା କାରଣରୁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ମାତ୍ର ରୋଗୀଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଶୁଣି ହସ୍ପିଟାଲରେ ପହଞ୍ଚିଥିଲେ ବିଧାୟକ । ବୁଧବାର ସ୍ୱାସ୍ଥ୍ୟ କେନ୍ଦ୍ରରେ ଓପିଡି ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିଲା । ରୋଗୀମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହା ଜାଣିବା ପରେ ଆଜି ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ ରାଜେନ ଏକ୍କା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଓପିଡିରେ ବସି ରୋଗୀ ଚିକିତ୍ସା କରିଥିଲେ । କିଛି ଡାକ୍ତର ଛୁଟିରେ ଥିବାରୁ ଏଭଳି ସମସ୍ୟା ଉପୁଜିଥିଲା । ଗତକାଲି ଡାକ୍ତର ନଥିବାରୁ ପ୍ରାୟ ଦୁଇ ଶହରୁ ଅଧିକ ରୋଗୀ ହସ୍ପିଟାଲରୁ ନିରାଶ ହୋଇ ଫେରିଥିଲେ । ଆଜି ସକାଳୁ ରୋଗୀମାନେ ପୁଣି ଡାକ୍ତରଖାନାରେ ଭିଡ଼ ଜମାଇଥିଲେ ବି ଡାକ୍ତର ନଥିବାରୁ ନିରାଶ ହୋଇଥିଲେ। ଶେଷକୁ ଖବର ପାଇ ବିଧାୟକ ଡ. ରାଜନ ଏକ୍କା ଡାକ୍ତରଖାନାରେ ପହଞ୍ଚି ଆଉଟଡୋରରେ ରୋଗୀ ଦେଖିଲେ। ସକାଳ ୮ଟାରୁ ଡାକ୍ତର ଏକ୍କା ଜଣ ଜଣ କରି ପ୍ରାୟ ଶହେ ରୋଗୀଙ୍କୁ ଦେଖି ଚିକିତ୍ସା ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି। ଡାକ୍ତର ନଥିବାରୁ ନିଜେ ଜଣେ ଡାକ୍ତର ହୋଇଥିବା ବିଧାୟକ ରୋଗୀ ଦେଖିବା ଚର୍ଚ୍ଚାର ବିଷୟ ହୋଇଛି ।