ଇସ୍ରାଏଲ୍ ଓ ହମାସ୍ ଯୁଦ୍ଧର ଭୟଙ୍କର ସ୍ଥିତି

ଅପହରଣ କରି ଧମକ ଦେଉଛି ହମାସ

ପୁଣି ଇସ୍ରାଏଲ ସେନା ହମାସ ଶାସିତ ଗାଜା ଷ୍ଟ୍ରିପ୍‌ ଏବଂ ଦକ୍ଷିଣ ଲେବାନନରେ ଏୟାର ଷ୍ଟ୍ରାଇକ୍‌କୁ ଜୋରଦାର କରିବା ସହ ସିରିଆ ଏବଂ ଅଧିକୃତ ପଶ୍ଚିମ ତଟରେ ଥିବା ଟାର୍ଗେଟକୁ ସାମିଲ କରିବା ପାଇଁ ଆକ୍ରମଣକୁ ବ୍ୟାପକ କରିଛି । ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୬ ତମ ଦିନରେ ପହଞ୍ଚିଛି । ଏହା ଉଭୟ ପକ୍ଷ ପାଇଁ ଗାଜାରେ ଚାଲିଥିବା ପାଞ୍ଚଟି ସଂଘର୍ଷ ମଧ୍ୟରୁ ସବୁଠାରୁ ଭୟଙ୍କର ସାବ୍ୟସ୍ତ ହୋଇଛି । ପାଲେଷ୍ଟାଇନ୍‌ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଗାଜାରେ ମୃତ୍ୟୁ ସଂଖ୍ୟା ୪,୭୪୧ରେ ପହଞ୍ଚିଥିବା ବେଳେ ଅବରୋଧିତ ଅଞ୍ଚଳରେ ପାଖାପାଖି ୧୬,୦୦୦ ଲୋକ ଆହତ ହୋଇଛନ୍ତି। ଅଧିକୃତ ପଶ୍ଚିମ ତଟରେ ହିଂସା ଓ ଇସ୍ରାଏଲ ଆକ୍ରମଣରେ ୯୩ ଜଣ ପାଲେଷ୍ଟାଇନୀୟ ପ୍ରାଣ ହରାଇଛନ୍ତି ବୋଲି ମନ୍ତ୍ରାଳୟ କହିଛି । ଇସ୍ରାଏଲ ସେନା ଏକ ବିବୃତିରେ ଘୋଷଣା କରିଛି ଯେ ପାଲେଷ୍ଟାଇନୀୟ ବନ୍ଧୁକଧାରୀଙ୍କ ମୁକାବିଲା ପାଇଁ ଗାଜା ଉପତ୍ୟକାରେ ରାତାରାତି ସୀମିତ ସ୍ଥଳ ଅପରେସନ୍‌ କରାଯାଇଥିଲା। ଏଥିସହିତ ଇସ୍ରାଏଲ ଅଞ୍ଚଳରେ ସମ୍ଭାବ୍ୟ ଆକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ହମାସ ଆତଙ୍କବାଦୀମାନେ ଏକାଠି ହେଉଥିବା ସ୍ଥାନ ଉପରେ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ୍‌ କରା ଯାଇଥିଲା।