ସରକାର ଲଗାଇଲେ ଅଙ୍କୁଶ

ସରକାରଙ୍କ ବିନା ଅନୁମତିରେ ବିକ୍ରି ହେବନି ସମବାୟ ସମିତି ସମ୍ପତ୍ତି

ଏଣିକି ରାଜ୍ୟ ସରକାରଙ୍କ ବିନା ଅନୁମତିରେ ନିଜର ସ୍ଥାବର ସମ୍ପତ୍ତିିକୁ ବିକ୍ରି କରିପାରିବେ ନାହିଁ ରାଜ୍ୟର ସମବାୟ ସମିତି । ସମବାୟ ସମିତି ଆଇନ୍ ୧୯୬୨ ଅନୁଯାୟୀ ପଞ୍ଜିକୃତ ସମବାୟ ସମିତିଗୁଡ଼ିକ ଓଡ଼ିଶା ସମବାୟ ସମିତି ଆଇନ୍ ୧୯୬୫ର ଧାରା ୧୨-କ ଅନୁଯାୟୀ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିଗୁଡିକୁ ବିକ୍ରି କରିବାର କ୍ଷମତା ରହିଛି । ତେବେ ସମବାୟ ସମିତିର ପରିଚାଳନା ମଣ୍ଡଳୀ ମନଇଚ୍ଛା ସମିତିର ସମ୍ପତ୍ତିକୁ ବିକ୍ରି ଓ ଲିଜ୍ ଦେଉଥିବାରୁ ରାଜ୍ୟ ସରକାର ସମବାୟ ଆଇନର ଧାରା ୧୨୩-କ’କୁ ପ୍ରୟୋଗ କରି ଏହା ଉପରେ ଅଙ୍କୁଶ ଲଗାଇଛନ୍ତି । ଯଦି ସମ୍ପତ୍ତି ବିକ୍ରି କରିବାର ଆବଶ୍ୟକତା ପଡ଼େ ସେଥିପାଇଁ ସମିତିଗୁଡ଼ିକ ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିର ଅନୁମତି ନେବେ । ଏନେଇ ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମବାୟ ସମିତି ସମ୍ପତ୍ତି ବିକ୍ରିକୁ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ ଅଧ୍ୟକ୍ଷ ଥିବାବେଳେ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ , ସହକାରୀ ନିର୍ଦ୍ଦେଶକ ଆଇନ୍‌, ଅତିରିକ୍ତ ସମବାୟ ନିବନ୍ଧକ ସଦସ୍ୟ ରହିଛନ୍ତି । ସେହିଭଳି ସମବାୟ ଉପନିବନ୍ଧକ (ଏମଆଇଏସ୍‌) ଏହି କମିଟିର ଆବହକ ଅଛନ୍ତି ।