‘ଜୋକ’ ବିଷୟରେ କିଛି ଜଣା ଅଜଣା କଥା

ଚିକିତ୍ସା କ୍ଷେତ୍ରରେ କ’ଣ ସାହାଯ୍ୟ କରେ ‘ଜୋକ’ ?

ଜୋକ । ସାଧାରଣତଃ ଏହି ଜୀବଟିକୁ ଲୋକେ ଜୀବ ଜଗତ ପାଇଁ ହାନୀକାରକ ବୋଲି ମନେକରନ୍ତି । ମାତ୍ର ଏହାର ରହିଛି ଅନେକ ଫାଇଦା । ଏହି ଜୀବକୁ ପ୍ରାୟତଃ ସମସ୍ତେ ଦେଖିଥିବେ । ଅଧିକାଂଶ ଲୋକ ଏହାକୁ ରକ୍ତ ଶୋଷିବା ଜୀବ ଭାବେ ଜାଣିଥାନ୍ତି । ଏହା ମାଂସାହାରୀ ଜୀବ । ଯାହାକି ମଣିଷ ଏବଂ ଅନ୍ୟ ଜୀବ ମାନଙ୍କ ରକ୍ତ ଶୋଷି ନିଜ ଜୀବନ ବଞ୍ଚାଇଥାଏ । ଜୋକର ବୈଜ୍ଞାନିକ ନାମ ହେଉଛି, ‘ହିରୁଡୋ ମେଡିସିନେଲିସ’ । ଏହି ପୋକ ସାଧାରଣତଃ ଓଦା ସ୍ଥାନରେ ଦେଖା ଯାଇଥାଏ । ଏହା ଏକ ହେମୋଫେଜିକ ପୋକ, ଅର୍ଥାତ ଏହାର ପ୍ରଧାନ ଖାଦ୍ୟ ରକ୍ତ । ଘାସ ବୁଦା ଏବଂ ସନ୍ତସନ୍ତିଆ ସ୍ଥାନରେ ଏହି ପୋକ ଦେଖିବାକୁ ମିଳେ । ଜୋକକୁ ମାରିବା ପାଇଁ କିଛି ଲୋକ ଲୁଣ ବ୍ୟବହାର କରିଥାନ୍ତି । ଅନ୍ୟମାନଙ୍କ ରକ୍ତ ଶୋଷୁଥିବା ଏହି ଜୋକ ଉପରେ ଲୁଣ ପକାଇଲେ ଏହା ମରି ଯାଇଥାଏ । ତେବେ ଲୁଣ ପକାଇଲେ ଏହାର ମୃତ୍ୟୁ କାହିଁକି ହୁଏ, ଆସନ୍ତୁ ଜାଣିବା । ଯଦି କୌଣସି ମଣିଷ ଶରୀରରେ ଏହା ଲାଗିଯାଏ ତେବେ ଲୁଣ ଦେଇ ଏହି ଜୋକକୁ ଶରୀରରୁ ବାହାର କରାଯାଇଥାଏ ।

ଲୁଣ ପକାଇବା ଦ୍ୱାରା ଜୋକ ମୃତ୍ୟୁ ହେବାର ଏକ ବୈଜ୍ଞାନିକ କାରଣ ରହିଛି । ଲୁଣରେ ଥିବା ରାସାୟନିକ ଗୁଣ ପାଇଁ ଏହା ଜୋକ ମୃତ୍ୟୁର କାରଣ ହୋଇଥାଏ । ଜୋକ ଶରୀର ଅତି ସୂକ୍ଷ୍ମ ହୋଇଥାଏ । ଯେଉଁଥିରେ ପାଣିର ମାତ୍ରା ଅଧିକ ଥାଏ ଏବଂ ଲୁଣ ପାଣିକୁ ଶୋଷଣ କରିଥାଏ । ଏପରି ପରିସ୍ଥିତିରେ ଜୋକ ଉପରେ ଲୁଣ ପକାଇଲେ ଏହାର ପତଳା ଶରୀରରେ ଥିବା ସମସ୍ତ ପାଣିର ମାତ୍ରାକୁ ଲୁଣ ଶୋଷି ନେଇଥାଏ । ଶରୀରରେ ପାଣି ଶେଷ ହେବା ଦ୍ୱାରା ଜୋକ ଶରୀରର ସମସ୍ତ କୋଷିକା କାମ କରିବା ବନ୍ଦ କରିଥାଏ, ଏବଂ ଜୋକଟି ମରିଯାଏ । ଚିକିତ୍ସା କ୍ଷେତ୍ରରେ ଜୋକର ମହତ୍ତ୍ୱ ରହିଛି । ଜଲୌକା ପଦ୍ଧତିରେ ଜୋକ ବ୍ୟବହାର ଦ୍ୱାରା ଅନେକ ରୋଗର ଚିକିତ୍ସା କରାଯାଇଥାଏ । ଜୋକ ଶରୀରରୁ ଅଶୁଦ୍ଧ ରକ୍ତ ଶୋଷି ନେଇ ଡେଡ ସେଲ କୁ ନଷ୍ଟ କରିଥାଏ । ଏହା ବ୍ୟତୀତ ଶରୀରର କୌଣସି ଅଂଶ ଖରାପ ହୋଇଗଲେ ଏବଂ ରକ୍ତ ପ୍ରବାହ ବନ୍ଦ ହୋଇଗଲେ ଜୋକର ବ୍ୟବହାର ହୋଇଥାଏ । ଡେଡ ସେଲ୍ସକୁ ସକ୍ରିୟ କରିବା ପାଇଁ ଜଲୌକା ପଦ୍ଧତିରେ ଜୋକର ସାହାଯ୍ୟ ନିଆଯାଇଥାଏ ।