ମୌସୁମୀ ଯିବା ପରେ ବି ବର୍ଷାରୁ ନାହିଁ ନିସ୍ତାର

କାଲି ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଦକ୍ଷିଣ-ପୂର୍ବ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଗାଙ୍ଗେୟ ଉପତ୍ୟକା ପଶ୍ଚିମବଙ୍ଗର ପଶ୍ଚିମ ଭାଗ ଏବଂ ସଂଲଗ୍ନ ଝାଡ଼ଖଣ୍ଡର ପଶ୍ଚିମ ଭାଗ ଉପରେ ରହିଛି । ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ହେବା ସହ ଶକ୍ତିଶାଳୀ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ପୁରୀ, କେନ୍ଦ୍ରାପଡ଼ା, ସମ୍ବଲପୁର, ମୟୂରଭଞ୍ଜ, ଝାରସୁଗୁଡ଼ା ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହୋଇଯାଇଛି । ଆସନ୍ତା ୨୪ ଘଣ୍ଟା ଅର୍ଥାତ ଗୁରୁବାର ଅପରାହ୍ନ ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନା ଦିଆଯାଇଛି । ଏହି ସମୟ ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅନ୍ୟପକ୍ଷରେ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସକାଳୁ ଆକାଶ ଆଂଶିକ ମେଘୁଆ ରହିଛି। ତେବେ, ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱର ଅଞ୍ଚଳରେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ବଜ୍ରପାତ ସହ ଅସରାଏ, ଦୁଇଅସରା ମଧ୍ୟମରୁ ପ୍ରବଳ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।