ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି ସସପେଣ୍ଡ ହେଲେ ଦୁଇ ବିଧାୟକ

ମତେ ବିନା ଦୋଷରେ ସସପେଣ୍ଡ କରାଯାଇଛି: ମୋହନ ମାଝୀ

ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିଥିବା ଅଭିଯୋଗରେ ସସ୍‌ପେଣ୍ଡ ହୋଇଛନ୍ତି ୨ ବିଜେପି ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ମୋହନ ମାଝୀ ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ଅଛନ୍ତି । ଗୃହ ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା କରିଥିଲେ ବିଜେପି ସଦସ୍ୟ। ତା’ପରେ ପଲିଥିନରେ ଆଣିଥିବା ଡାଲି ଦେଖାଇ ପୋଡିୟମକୁ ଫିଙ୍ଗିଥିଲେ । ଦୁଇ ବିଧାୟକଙ୍କୁ ସସ୍‌ପେଣ୍ଡ ନେଇ ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି,  ଉଭୟଙ୍କ ଆଚରଣରେ କ୍ଷୁବ୍ଧ ହୋଇ ଗୃହ ଏଭଳି ନିଷ୍ପତ୍ତି ନେଇଛି । ସମ୍ବିଧାନ ବିଧି ଅନୁସାରେ ଓ ଗୃହର ମତ ନେଇ ସସ୍‌ପେଣ୍ଡ କରାଯାଇଛି । ସେପଟେ ମୋହନ ମାଝୀ କହିଛନ୍ତି, ବିନା ଦୋଷରେ ସସ୍‌ପେଣ୍ଡ କରାଯାଇଛି। ମୁଁ ଡାଲି ଫୋପାଡ଼ିନି କି ଉପହାର ମଧ୍ୟ ଦେଇନି। ଏ ନିଷ୍ପତ୍ତି ନିନ୍ଦନୀୟ। ଏହାର ଘୋର ପ୍ରତିବାଦ କରିବୁ। ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ଡାଲି ଏକ ସିମ୍ବଲ । ବିରୋଧୀ ଦଳ ନେତାଙ୍କୁ ମନ୍ତବ୍ୟ ଦେବାକୁ ସୁଯୋଗ ଦିଆଯାଉନି । ତେଣୁ ଆମେ ଏହାର ପ୍ରତିବାଦ କରିଥିଲୁ । ସେ ଡାଲି ଭଲ ପାଉଥିବାରୁ ତାଙ୍କୁ ଡାଲି ଉପହାର ଦେଉଥିଲୁ । ବାଚସ୍ପତି ନିର୍ଦ୍ଦଳୀୟ ନିଷ୍ପତ୍ତି ନେବା କଥା । କିନ୍ତୁ ସେ ସେମିତି କରୁନାହାନ୍ତି । ସେ ନିରପେକ୍ଷ ହେଉ ନଥିବାରୁ ପ୍ରତିବାଦରେ ଡାଲି ଉପହାର ଦେଉଥିଲୁ। ତାଙ୍କ ପ୍ରତି ଆମର ଅସମ୍ମାନ ନାହିଁ। ତାଙ୍କୁ ଡାଲି ଉପହାର ଦେଉଥିଲୁ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ବିରୋଧୀ ଦଳ ନେତାଙ୍କୁ ସେମାନେ ମେଣ୍ଟାଲ ଡିଜ୍‌ଅର୍ଡର କହିଲେ । ଏହାକୁ ବିବରଣୀରୁ ବାଦ୍‌ ଦେବାକୁ କହିଲୁ, କିନ୍ତୁ ବାଚସ୍ପତି ଗ୍ରହଣ କଲେନି । ବାଚସ୍ପତି ନିରପେକ୍ଷ ନୁହନ୍ତି । ତାଙ୍କ ନିରପେକ୍ଷତା ଆମେ ଦେଖିପାରୁନୁ । ବାଚସ୍ପତି ଦଳର କର୍ମକର୍ତ୍ତା ଭଳି ଆଚରଣ କରୁଛନ୍ତି । ବାଚସ୍ପତି ନିଜେ ସସ୍‌ପେଣ୍ଡ ହେବା କଥା, ସେ କ’ଣ ସସ୍‌ପେଣ୍ଡ କରୁଛନ୍ତି । ଏ ସସ୍‌ପେଣ୍ଡକୁ ଆମେ ଭ୍ରୁକ୍ଷେପ କରୁନୁ । ଆମ ପ୍ରତିବାଦ ଜାରି ରହିବ।