ମଣିପୁରରେ ପୁଣି ହତ୍ୟା

ମିଳିଲା ଛାତ୍ରଛାତ୍ରୀଙ୍କ ମୃତଦେହ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ମଣିପୁରରୁ ପୁଣି ସାମ୍ନାକୁ ଆସିଲା ଆଉ ଏକ ଅଶ୍ଚର୍ଯ୍ୟ କରିଦାବ ଭଳି ଘଟଣା । ଗତ ଜୁଲାଇ ୬ ତାରିଖରୁ ନିଖୋଜ ଥିବା ଦୁଇ ଛାତ୍ରଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ।  ଉଭୟ ହତ୍ୟା ପୂର୍ବର ଏବଂ ହତ୍ୟା ପରର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ଗୋଟିଏ ଫଟୋରେ ଦୁଇ ଛାତ୍ର ଘାସ ଗାଲିଚାରେ ବସିଥିବାର ଦେଖା ଯାଇଥିବା ବେଳେ ସେମାନଙ୍କ ପଛରେ ଦୁଇଜଣ ସଶସ୍ତ୍ର ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି । ଅନ୍ୟ ଏକ ଫଟୋରେ ଦୁଇ ଛାତ୍ରଛାତ୍ରୀଙ୍କ ମୃତଦେହ ଦେଖିବାକୁ ମିଳିଛି । ଏହି ଦୁଇ ଜଣଙ୍କ ବୟସ ୧୭ ଏବଂ ୨୦ ବୋଲି ଜଣାପଡ଼ିଛି । ଏହି ଫଟୋ ଭାଇରାଲ ହେବା ପରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଛାତ୍ର ଅପହରଣ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଶୀଘ୍ର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତ ଜୁଲାଇରୁ ନିଖୋଜ ଥିବା ଦୁଇ ଛାତ୍ରଛାତ୍ରୀ ଫିଜାମ ହେମଜିତ ଏବଂ ୧୭ ବର୍ଷୀୟା ହିଜାମ ଲିଣ୍ଟୋଙ୍ଗାମ୍ବିଙ୍କ ଫଟୋ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଏହା ରାଜ୍ୟ ସରକାରଙ୍କ ନଜରକୁ ଆସିଥିଲା । ତାପରେ ଏହାକୁ ନେଇ ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟବାସୀମାନେ ଦାବି କରିବା ପରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର ହୋଇସାରିଛି । ଅପରାଧୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ମଧ୍ୟ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ବୋଲି ଏକ ବିବୃତ୍ତିରେ କୁହାଯାଇଛି । ଏହି ଦୁଃଖଦ ପରିସ୍ଥିତିରେ ସରକାର ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଫିଜାମ ହେମଜିତ ଏବଂ ହିଜାମ ଲିଣ୍ଟୋଙ୍ଗାମ୍ବି ଅପହରଣ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।