ଶିବଶକ୍ତି ପଏଣ୍ଟରେ ପଡିଲା ସୂର୍ଯ୍ୟକିରଣ !

ଏଥର ନିଦରୁ ଉଠି କାମ ଆରମ୍ଭ କରିବ ପ୍ରଜ୍ଞାନ !

ପୁଣି କାମ ଆରମ୍ଭ କରିବ ଚନ୍ଦ୍ରଯାନ-୩ । ତେବେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ କରି ସ୍ଲିପ ମୋଡରେ ଥିବା ଲ୍ୟାଣ୍ଡର ଏବେ ନିଦରୁ ଉଠିବ ଆଉ ପୁଣି ତାର ଲକ୍ଷ୍ୟପଥରେ ଅଗ୍ରସର ହେବ। ତେବେ ସୂଚନା ଅନୁସାରେ ଶୁକ୍ରବାର ପ୍ରଜ୍ଞାନ ଓ ବିକ୍ରମକୁ ସକ୍ରିୟ କରିବା ପାଇଁ ଯୋଜନା କରାଯାଇଥିବା ବେଳେ କିଛି ସମସ୍ୟା ଯୋଗୁଁ ଆଜି ପ୍ରୟାସ କରିଛି ଇସ୍ରୋ । ଚନ୍ଦ୍ରର ସାଉଥପୋଲରେ ସୂର୍ଯ୍ୟୋଦୟ ହୋଇଥିବା ବେଳେ ସୋଲାର ସିଷ୍ଟମ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ବିକ୍ରମ ଓ ପ୍ରଜ୍ଞାନ ପୁଣି ଥରେ କାର୍ଯ୍ୟକ୍ଷମ ହେବା ସହ ଦ୍ବିତୀୟ ପର୍ଯ୍ୟାୟ ମିଶନ ପାଇଁ କାମ କରିବେ ବୋଲି ଇସ୍ରୋ ଆଶା କରିଛି ।

ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଥିବା ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟକିରଣ ପଡିଛି । ଏଥିସହ ଅନେକ ପ୍ରଶ୍ନ ଏବେ ଇସ୍ରୋ ବୈଜ୍ଞାନିକଙ୍କ ମନରେ ଉଠିଛି । ଚନ୍ଦ୍ର ଅଭିଯାନର ଅନ୍ତ ହେବ ନା ସ୍ଲିପମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଜାଗ୍ରତ ହେବେ ? ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ମେରୁରେ ସ୍ଲିପ ମୋଡରେ ରହିଛନ୍ତି ବିକ୍ରମ ଓ ପ୍ରଜ୍ଞାନ । ସେମାନଙ୍କୁ ଜାଗ୍ରତ କରିବା ଲାଗି ଚେଷ୍ଟା କରୁଛି ଇସ୍ରୋ । ଚନ୍ଦ୍ରରେ ଜଳବାୟୁ ନଥିବାରୁ ଏହାର ଉପରିଭାଗରେ ରାତିରେ ତାପମାତ୍ରା ମାଇନସ ୧୮୦ ଡିଗ୍ରୀ ହୋଇଥିବା ବେଳେ ସ୍ଥାୟୀ ଭାବେ ସୌରରଶ୍ମୀ ପାଉନଥିବା ସ୍ଥାନରେ ତାପମାତ୍ରା ରହିଥାଏ ମାଇନସ ୨୪୦ ଡିଗ୍ରୀ ସେଲସିୟସ । ତେବେ ପୁନଃ ସୂର୍ଯ୍ୟୋଦୟ ହେବା ପରେ ନିଦରୁ ଉଠି କାମ ଆରମ୍ଭ କରିବ ପ୍ରଜ୍ଞାନ ବୋଲି ଆଶା ରଖିଛି ଇସ୍ରୋ ।