ସମୁଦ୍ର ଗର୍ଭରେ ନିଖୋଜ ହେଲା ଆଉ ଏକ ଟାଇଟାନିକ

ଯଯାତି ଏକ୍ସପ୍ରେସ୍ସ (ବ୍ଯୁରୋ ): ପୁଣି ସମୁଦ୍ର ଗର୍ଭରେ ନିଖୋଜ ହେଲା ଆଉ ଏକ ଟାଇଟାନିକ । କିଛି ବର୍ଷ ତଳେ ସମୁଦ୍ର ଗର୍ଭରେ ବିଲୀନ ହୋଇଯାଇଥିଲା ଟାଇଟାନିକ। ଏହି ଟାଇଟାନିକର ଭଗ୍ନାଂଶ ଦେଖିବାର ନିଶା ଏତେ ଥିଲା ଯେ ଆଉ ଏକ ଟାଇଟାନିକ ବୁଡା ଜାହାଜ ମାଧ୍ୟମରେ ସମୁଦ୍ର ମଧ୍ୟକୁ ଯାଇଥିଲେ ୫ ପର୍ଯ୍ୟଟକ । ହେଲେ ଏବେ ସେମାନଙ୍କର ପତ୍ତା ମିଳୁନି। ଯାହା ଏବେ ସଭିଙ୍କ ମନରେ ଭୟ ଖେଳାଇଛି। ସେପଟେ ବୁଡା ଜାହାଜଟିର ଅମ୍ଳଜାନ ପରିମାଣ ଶେଷ ଅବସ୍ଥାକୁ ଆସୁଥିବେଳେ ସେଥିରେ ଥିବା ୫ ଯାତ୍ରୀଙ୍କ ଜୀବନ ବିପନ୍ନ ହେବାରେ ଲାଗିଛି । ସମୟ ଆଉ ମାତ୍ର ୨ ଘଣ୍ଟା ଥିବା ସତ୍ତ୍ବେ ସବମେରିନରୁ ମିଳୁନି ସନ୍ଧାନ । ଟାଇଟାନିକ ଦେଖିବାକୁ ଆମେରିକୀୟ କମ୍ପାନୀ ଓସିଆନ ଗେଟର ସ୍ବତନ୍ତ୍ର ମିଶନରେ ତ୍ରୁଟି ଥିବାରୁ ଏକ ବଡ଼ ଅଘଟଣର ଶିକାର ହୋଇଛି ବୁଡାଜାହାଜ । ରେସ୍କ୍ୟୁ ଅପରେସନରେ ଆମେରିକା ଓ କାନାଡାର କୋଷ୍ଟଗାର୍ଡ ଟିମ୍ ସାମିଲ ଅଛନ୍ତି ।

୧୩ ହଜାର ଫୁଟ ସମୁଦ୍ର ତଳେ ଦବି ରହିଥିବା ଟାଇଟାନିକର ଭଗ୍ନାଂଶ ଦେଖିବାକୁ ସ୍ପେଶାଲ ଟୁରର ଆୟୋଜନ କରିଥିଲା ଆମେରିକୀୟ କମ୍ପାନୀ ଓସିଆନ ଗେଟ । ଏଥିରେ ସାମିଲ ଥିଲେ ୫ ନାମିଦାମି ପର୍ଯ୍ୟଟକ। ଏହି ଟୁର ପାଇଁ ପ୍ରତ୍ୟେକ ଯାତ୍ରୀଙ୍କଠାରୁ ୨କୋଟି ଲେଖାଏଁ ଟଙ୍କା ମଧ୍ୟ ନେଇଛି କମ୍ପାନୀ । ଜୁନ ୧୮ ତାରିଖରେ ବୁଡାଜାହାଜ ଯାତ୍ରା ଆରମ୍ଭ କରିଥିବା ବେଳେ ଦେଢ଼ ଘଣ୍ଟା ପରେ ଏହା ରାଡାର ବାହାରକୁ ଚାଲିଯାଇଥିଲା ।

ସୋନାର ଟେକ୍ନୋଲୋଜୀ ଜରିଆରେ ଟାଇଟାନିକ ପାର୍ଶ୍ବରେ କିଛି ଶବ୍ଦ ହେଉଥିବା ଡିଭାଇସ୍ ଡିଟେକ୍ଟ କରିଥିଲେ ବି ସନ୍ଧାନ ମିଳିପାରିନାହିଁ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଆମେରିକା କୋଷ୍ଟଗାର୍ଡ, କାନାଡାର ସାମରିକ ବିମାନ, ଫ୍ରାନ୍ସର ଜାହାଜ । ଟେଲିଗାଇଡେଡ ରୋବଟ ବି ନିୟୋଜିତ ହୋଇଛି । ସବମେରିନରେ ରହିଥିବା ଯାତ୍ରୀଙ୍କ ମଧ୍ୟରେ ରହିଛନ୍ତି ବ୍ରିଟିଶ ଅର୍ବୁଦପତି ହାମିଶ ହାର୍ଡିଂ, ପାକିସ୍ତାନୀ କୋଟିପତି ସାହାଜାଦ ଦାଉଦ ଓ ନାବାଳକ ପୁଅ ସୁଲେମାନ, ଫ୍ରେଞ୍ଚ ଏକ୍ସପ୍ଲୋରର ପଲ୍ ହେନେରୀ ନାର୍ଗେଲୋଟ । ତେବେ ଟାଇଟାନିକର ସନ୍ଧାନରେ ଯାଇଥିବା ଆଉ ଏକ ଟାଇଟାନିକର ଏବେ ସମ ଦଶା । ଯାହାକୁ ନେଇ ଉଭୟ ଆମେରିକା ଓ କାନାଡାରେ ଭୟର ବାତାବରଣ ଦେଖିବାକୁ ମିଳିଛି।