ଅକ୍ଟୋବରରେ ଇଣ୍ଡିଆର ସାଧାରଣ ସଭା, ହୋଇପାରେ ସିଟ୍ ଭାଗବଣ୍ଟା
ବିଜେପିକୁ ଚେକ ଦେବା ପାଇଁ ବିରୋଧୀ ଦଳଗୁଡ଼ିକ ଗଠନ କରିଛନ୍ତି ଇଣ୍ଡିଆ ମେଣ୍ଟ । ଏହି ମେଣ୍ଟର ପ୍ରଥମ ସାଧାରଣ ସଭା ଅକ୍ଟୋବରରେ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶର ଭୋପାଲରେ ଅକ୍ଟୋବର ପ୍ରଥମ ସପ୍ତାହରେ ମେଣ୍ଟର ନେତାମାନେ ଏକାଠି ହୋଇ ନିଜର ଶକ୍ତି ପ୍ରଦର୍ଶନ କରିବେ। ଆଜି ପ୍ରଥମଥର ପାଇଁ ଇଣ୍ଡିଆ ମେଣ୍ଟର ସମନ୍ୱୟ କମିଟି ବୈଠକ ବସିଥିଲା । ଏହି ବୈଠକ ପରେ ମେଣ୍ଟ ପକ୍ଷରୁ ଏପରି ଘୋଷଣା କରାଯାଇଛି। ସେହିପରି ମେଣ୍ଟ ପକ୍ଷରୁ ଜାତି ଭିତ୍ତିକ ଜନଗଣନାକୁ ଆଗକୁ ନିଆଯିବ । ଏହାବାଦ ଆଜିର ବୈଠକରେ ସିଟ୍ ଶେୟାରିଂ ଫର୍ମୁଲା ଉପରେ ମଧ୍ୟ ମାନସମନ୍ଥନ ହୋଇଛି । ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ଦିଲ୍ଲୀ ବାସଭବନରେ ବସିଥିବା ସମନ୍ୱୟ କମିଟିରେ ଟିଏମସିର ଅଭିଷେକ ବାନାର୍ଜୀଙ୍କୁ ଛାଡ଼ି ଆଉ ସବୁ ସଦସ୍ୟ ଯୋଗ ଦେଇଥିଲେ। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ଶ୍ରୀ ବାନାର୍ଜୀଙ୍କୁ ସମନ କରିଥିବାରୁ ସେ ସମନ୍ୱୟ ବୈଠକରେ ଯୋଗ ଦେଇ ପାରି ନଥିଲେ । ବୈଠକ ପରେ ଜାରି ମିଳିତ ବିବୃତିରେ କୁହାଯାଇଛି ଯେ ବିରୋଧୀ ମେଣ୍ଟ ଇଣ୍ଡିଆ ଆୟୋଜନ କରିବାକୁ ଯାଉଥିବା ସାଧାରଣ ସଭାରେ ଦର ବୃଦ୍ଧ, ବେକାରୀ ଓ ବିଜେପି ସରକାରର ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଯିବ । ଭୋପାଲରେ ମେଣ୍ଟର ପ୍ରଥମ ବୈଠକ ଅକ୍ଟୋବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ।