ଏ ବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ !

‘ଛାତ୍ର ସଂସଦ ନିର୍ବାଚନ ନହେଲେ ନବୀନ ନିବାସ ଘେରିବୁ’

ଏ ବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ ! ଗତ ୫ବର୍ଷ ଧରି ଛାତ୍ର ନିର୍ବାଚନ ଉପରେ ରାଜ୍ୟସରକାର ରୋକ ଲଗାଇଥିବାବେଳେ ଚଳିତ ବର୍ଷ ମଧ୍ୟ କଲେଜ କିମ୍ବା ୟୁନିଭର୍ସିଟିରେ ହେବନି ଛାତ୍ର ଇଲେକ୍ସନ । ଯାହାକୁ ନେଇ ଛାତ୍ର ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ କାର୍ଯ୍ୟ ଦିବସ, ପରୀକ୍ଷା ଆରମ୍ଭ, ଶେଷ, ଫଳ ପ୍ରକାଶ, ପୂଜା ଛୁଟି ନେଇ ସବିଶେଷ ତଥ୍ୟ ରହିଥିବା ବେଳେ ଛାତ୍ର ସଂସଦ ନିର୍ବାଚନ କଥା ଉଲ୍ଲେଖ ନାହିଁ। ଯାହାକୁ ନେଇ ସ୍ପଷ୍ଟ ହେଉଛି କି ଏବର୍ଷ ମଧ୍ୟ ଛାତ୍ର ନିର୍ବାଚନ ହେବ ନାହିଁ।

ସେପଟେ ଏହାକୁ ବିଭିନ୍ନ ଛାତ୍ର ସଂଗଠନ ବିରୋଧ କରୁଥିବା ବେଳେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ କଡା ଚେତାବନୀ ମଧ୍ୟ ଦେଇଛନ୍ତି । କିନ୍ତୁ ନିର୍ବାଚନ ହେଲେ ପାଠପଢ଼ା ବନ୍ଦ ରହୁଥିବା ବେଳେ କ୍ୟାମ୍ପସରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଛି। ଏଥିସହ ହିଂସାକାଣ୍ଡ ବି ବଢ଼ୁଛି। ସେଥିପାଇଁ ରାଜ୍ୟ ସରକାର ନିର୍ବାଚନ ବନ୍ଦ ନେଇ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ତେବେ ଏହାକୁ ସର୍ବ ଭାରତୀୟ ଛାତ୍ର ସଂଗଠନ ବିରୋଧ କରି ଗଣତନ୍ତ୍ରର କଣ୍ଠରୋଧ କରାଯାଉଥିବା କହିଛି । ତେଣୁ ଖୁବ ଶୀଘ୍ର ନିର୍ବାଚନ ନେଇ ତାରିଖ ଘୋଷଣା ନହେଲେ ନବୀନ ନିବାସ ଘେରିବାକୁ ମଧ୍ୟ ଆହ୍ଵାନ ଡିଛନ୍ତି ଛାତ୍ରନେତା ।