ରାଜ୍ୟକୁ ଗ୍ରାସ କରିବ କି ଡେଙ୍ଗୁ ?

ଜୁଲାଇରୁ ଅକ୍ଟୋବର ଡେଙ୍ଗୁର ପିକ୍ ପିରିୟଡ, ପ୍ରତିଦିନ ୨୫୦ ଡେଙ୍ଗୁ ରୋଗୀ ଚିହ୍ନଟ !

ରାଜ୍ୟରେ ଦିନକୁ ଦିନ ସ୍ୱାସ୍ଥ୍ୟ ବିଭାଗର ନିଦ ହଜାଉଛି ଡେଙ୍ଗୁ । ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବା ଏବେ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡବିନ୍ଧା ସାଜିଛି । ତେବେ ରାଜ୍ୟରେ ପ୍ରତିଦିନ ୨୦୦ ରୁ ୨୫୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୮ ହଜାର ୬୧୦ ଜଣଙ୍କର ଡେଙ୍ଗୁ ଟେଷ୍ଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ହଜାର ୯୭ ଜଣ ପଜିଟିଭ ବାହାରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୧୩୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୁରୀରୁ ୫୫୫, କଟକରୁ ୫୨୦ ଓ ବାଲେଶ୍ଵରରୁ ୪୭୩ ଜଣ ଚିହ୍ନଟ ହୋଇଛନ୍ତି। ଜୁଲାଇରୁ ଅକ୍ଟୋବର ମାସ ବିଶେଷତଃ ଡେଙ୍ଗୁର ପିକ୍ ପିରିୟଡ ହୋଇଥିବା ବେଳେ ଡେଙ୍ଗୁ ବଂଶ ବିସ୍ତାର ପାଇଁ ବର୍ତ୍ତମାନ ପାଣିପାଗ ମଧ୍ୟ ଅନୁକୂଳ ଅଛି।

ସେପଟେ ଡେଙ୍ଗୁ ରୋକିବାରେ ବିଏମସି ମଧ୍ୟ ନାକେଦମ ହୋଇଥିବା ଦେଖିବାକୁ ମିଳିଛି । ଏମିତିକି ଗତ ଶନିବାରଠାରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ଘଟଣା ଏବେ ବିଏମସିର କାର୍ଯ୍ୟଦକ୍ଷତା ଉପରେ ଉଠାଇଛି ବଡ ପ୍ରଶ୍ନବାଚୀ । ଡାକ୍ତରଙ୍କ କହିବ ଅନୁଯାୟୀ ସାମାନ୍ୟ ଚିକିତ୍ସାରେ ୯୮% ଲୋକ ଡେଙ୍ଗୁରୁ ଭଲ ହୋଇପାରିବେ। ଏଣୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ପ୍ଲେଟଲେଟ କମିବା ନେଇ ଅଧିକ ବ୍ୟସ୍ତ ହୁଅନ୍ତୁ ନାହିଁ। ସଚେତନତା ହିଁ ଡେଙ୍ଗୁକୁ ରୋକି ପାରିବ । ନିଜେ ସତର୍କ ହେବ ସହ ଆଖପାଖ ଲୋକଙ୍କୁ ମଧ୍ୟ ସତର୍କ କରାନ୍ତୁ ।