କାଲି ପାଟନାରେ ବିରୋଧୀ ମେଳି

କେନ୍ଦ୍ରର ବିଜେପି ସରକାରକୁ ଗାଦିଚ୍ୟୁତ କରିବାକୁ ବିହାରର ପାଟନା ଆସନ୍ତାକାଲି ବିରୋଧୀଦଳଗୁଡିକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି । ଏହି ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ ବୋଲି କୁହାଯାଉଛି । ଏହି ବୈଠକରେ ଯୋଗ ଦେବାକୁ ଆଜିଠାରୁ ନେତାମାନେ ପାଟନାରେ ପହଂଚିବା ଆରମ୍ଭ ହୋଇଛି । ପ୍ରଥମେ ପିଡିପି ମୁଖ୍ୟ ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫତି ପାଟନାରେ ପହଂଚିଛନ୍ତି । ସେହିଭଳି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବିହାରରେ ପହଂଚିବେ । ସେପଟେ ନ୍ୟାସନାଲ କନଫରେନ୍ସ ନେତା ଓମର ଅବ୍ଦୁଲ୍ଲା, ସିପିଆଇ ମହାସଚିବ ଡି.ରାଜା, ସିପିଆଇ (ଏମଏଲଏ) ମହାସଚିବ ଦୀପଙ୍କର ଭଟ୍ଟାଚାର୍ଯ୍ୟ ମଧ୍ୟ ପାଟନାରେ ପହଞ୍ଚିବେ । ଏହା ବ୍ୟତୀତ ଉଦ୍ଧବ ଠାକରେ ଓ ଶରଦ ପାୱାର ଆସନ୍ତା କାଲି ପାଟନା ଯିବେ । ମୋଟ ୧୫ ଟି ରାଜନୈତିକ ଦଳର ମୁଖ୍ୟମାନେ ଏହି ବୈଠକରେ ଯୋଗ ଦେବାକୁ ସହମତି ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରେ ବୈଠକରେ ଯୋଗଦେବାକୁ ଯାଉଥିବା ନେତାଙ୍କ ମଧ୍ୟରେ ଜେଡିୟୁରୁ ନୀତିଶ କୁମାର, ଆରଜେଡିରୁ ତଜସ୍ୱୀ ଯାଦବ, କଂଗ୍ରେସରୁ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ, ତୃଣମୂଳ କଂଗ୍ରେସରୁ ମମତା ବାନାର୍ଜୀ, ଏନସିପିରୁ ଶରଦ ପାୱାର, ଶିବସେନା (ଉଦ୍ଧବ ଗ୍ରୁପ)ରୁ ଉଦ୍ଧବ ଠାକରେ, ଆମ୍ ଆଦମୀ ପାର୍ଟିରୁ ଅରବିନ୍ଦ କେଜ୍ରିୱାଲ ଓ ସଂଜୟ ସିଂ, ସମାଜବାଦୀ ପାର୍ଟିରୁ ଅଖିଳେଶ ଯାଦବ, ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାରୁ ହେମନ୍ତ ସୋରେନ, ଡିଏମକେରୁ ଏମ.କେ ଷ୍ଟାଲିନ, ନ୍ୟାସନାଲ କନଫରେନ୍ସରୁ ଓମର ଅବ୍ଦୁଲ୍ଲା, ପିଡିପିରୁ ମହବୁବା ମୁଫତି, ସିପିଆଇରୁ ଡି ରାଜା, ସିପିଆଇ (ଏମଏଲ)ରୁ ଦୀପଙ୍କର ଭଟ୍ଟାଚାର୍ଯ୍ୟ ଓ ସିପିଆଇ (ଏମ)ରୁ ସୀତାରାମ ୟେଚୁରୀ ।