କାଲିଠୁ ବିଧାନସଭା ସ୍ଵତନ୍ତ୍ର ଅଧିବେଶନ
ନଭେମ୍ବର ୩୦ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ସମ୍ବିଧାନର ଧାରା ୧୧୭(୩) ଅନୁଯାୟୀ ‘ସୀମା ନିର୍ଦ୍ଧାରଣ (ଦ୍ୱିତୀୟ) ବିଲ୍, ୨୦୨୬’ ଉପରେ ବିଚାର କରିବାକୁ ଲୋକସଭାକୁ ସୁପାରିସ କରିଛନ୍ତି। ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଏହି ବିଲ୍ ଅନୁମୋଦିତ ହେବା ପରେ ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେବାକୁ ଥିବା ବିଲ୍ରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଲୋକସଭା ଏବଂ ବିଧାନସଭା ଆସନରେ ୫୦ ପ୍ରତିଶତ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି।
ଅନ୍ୟପକ୍ଷରେ ‘ସମ୍ବିଧାନ (୧୩୨ତମ ସଂଶୋଧନ) ବିଲ୍’ ଅନୁଯାୟୀ ୨୦୫୧ ମସିହା ପର୍ଯ୍ୟନ୍ତ ଲୋକସଭାରେ ପ୍ରତ୍ୟେକ ରାଜ୍ୟର ଆସନ ଅଂଶ ସମାନ ରହିବ। ସୋମବାରଠାରୁ ଚାରିଦିନିଆ ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଥିବା ଲୋକସଭାରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉଭୟ ବିଲ୍ ଉପସ୍ଥାପନ କରିବେ। ସୀମା ନିର୍ଦ୍ଧାରଣ ପରେ ଲୋକସଭାର ମୋଟ ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପାଇବ, ଯେଉଁଥିରେ ରାଜ୍ୟଗୁଡ଼ିକରୁ ୮୧୫ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୩୫ଟି ଆସନ ରହିବ।
