ଦୀଘା ଜଗନ୍ନାଥ ମନ୍ଦିର ନାମରୁ ହଟିଲା ଧାମ
ଦୀଘା ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦର ଅବସାନ ଘଟିଛି । ଦୀଘା ଜଗନ୍ନାଥ ମନ୍ଦିର ପରିସରର ନାମରୁ ‘ଧାମ’ ଶବ୍ଦ ହଟିଛି । ଏଣିକି ମନ୍ଦିର ପରିସରର ନାମ ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ଏବଂ ମନ୍ଦିରର ନାମ ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’ ରହିବ । ଏନେଇ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତିକୁ ଓଡ଼ିଶା ସରକାର ସ୍ୱାଗତ କରିଛନ୍ତି ।ପଶ୍ଚିମବଙ୍ଗ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ବିଶ୍ୱର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର । କୋଟି କୋଟି ଓଡ଼ିଆଙ୍କ ଆସ୍ଥା, ବିଶ୍ୱାସ ଓ ସାଂସ୍କୃତିକ ପରିଚୟର ସର୍ବଶ୍ରେଷ୍ଠ ପ୍ରତୀକ ହେଉଛନ୍ତି ମହାପ୍ରଭୁ। ଶ୍ରୀକ୍ଷେତ୍ରର ଅନନ୍ୟ ଧାର୍ମିକ ମହତ୍ତ୍ୱକୁ ଉପେକ୍ଷା କରି ପଶ୍ଚିମବଙ୍ଗର ପୂର୍ବତନ ସରକାର ଦୀଘା ମନ୍ଦିରକୁ ‘ଜଗନ୍ନାଥ ଧାମ’ ନାମରେ ନାମିତ କରିଥିଲେ । ଏହା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
