୪ ସହର ପାଇଁ ପ୍ରସ୍ତୁତ ହେବ CRMP
ଓଡ଼ିଶାରେ ଯାତାୟାତ ବ୍ୟବସ୍ଥାକୁ ଆହୁରି ସୁବ୍ୟବସ୍ଥିତ ଓ ସୁଗମ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଏକ ବଡ଼ ପଦକ୍ଷେପ । ଭୁବନେଶ୍ୱର, କଟକ, ପୁରୀ ଓ ପାରାଦୀପକୁ ନେଇ ଗଠିତ ଅର୍ଥନୈତିକ ଅଞ୍ଚଳ ପାଇଁ ପ୍ରସ୍ତୁତ ହେବ ସମନ୍ୱିତ ଆଞ୍ଚଳିକ ଗମନାଗମନ ଯୋଜନା ବା Comprehensive Regional Mobility Plan (CRMP) । ଏହି ଯୋଜନା ପ୍ରସ୍ତୁତିର ଅଂଶସ୍ୱରୂପ ଆସନ୍ତା ୨୩ ନଭେମ୍ବରରୁ ଆରମ୍ଭ ହେବ ଘରୋଇ ଯାତାୟାତ ସର୍ଭେ ।ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ସର୍ଭେ କରାଯିବ । ଲୋକମାନେ ପ୍ରତିଦିନ କେଉଁଠାକୁ ଯାଉଛନ୍ତି, କେଉଁ ମାଧ୍ୟମରେ ଯାତାୟାତ କରୁଛନ୍ତି ଏବଂ ଯାତ୍ରା ସମୟରେ କେଉଁ ସମସ୍ୟାର ସାମ୍ନା କରୁଛନ୍ତି, ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ । ଏହାଦ୍ୱାରା ଅଞ୍ଚଳର ଯାତାୟାତ ବ୍ୟବସ୍ଥାରେ କେଉଁଠି ସୁଧାର ଆବଶ୍ୟକ, ତାହା ଜାଣିବା ସହଜ ହେବ ।ଏହି ସର୍ଭେ ପାଇଁ ଅଧିକୃତ ଟିମ୍ ଚୟନ କରାଯାଇଥିବା ଘରଗୁଡ଼ିକୁ ଯାଇ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରିବେ । ଘରେ କେତୋଟି ଯାନବାହନ ରହିଛି, ଦୈନନ୍ଦିନ ଯାତାୟାତର ମାଧ୍ୟମ କ’ଣ, ଯାତ୍ରାର ଉଦ୍ଦେଶ୍ୟ କ’ଣ, କେତେ ସମୟ ଲାଗୁଛି ଏବଂ କେତେ ଖର୍ଚ୍ଚ ହେଉଛି, ସେ ସମ୍ପର୍କରେ ପଚରାଯିବ । ଏହାସହ ଯାତାୟାତ ସମୟରେ ଲୋକେ ସାମ୍ନା କରୁଥିବା ସମସ୍ୟା ଏବଂ ଏହାର ସମାଧାନ ପାଇଁ ସେମାନଙ୍କ ପରାମର୍ଶ ମଧ୍ୟ ନିଆଯିବ । ସର୍ଭେରୁ ମିଳୁଥିବା ତଥ୍ୟ କେବଳ ଯୋଜନା ପ୍ରସ୍ତୁତି ପାଇଁ ବ୍ୟବହାର ହେବ ।
