ସର୍ବାଧିକ ୧ ଟଙ୍କା ୧୮ ପଇସା ବଢ଼ିଲା ବସ ଭଡ଼ା, ନୂଆ ବିଜ୍ଞପ୍ତି ଜାରି କଲେ ସରକାର

ବଢ଼ିଲା ବସ ଭଡ଼ା

ରାଜ୍ୟରେ ବସ୍ ଭଡ଼ା ନିର୍ଦ୍ଧାରଣ ନେଇ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି ସରକାର। ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସାଧାରଣ ବସ୍‌ରେ କିଲୋମିଟର ପିଛା ସର୍ବାଧିକ ୧ ଟଙ୍କା ୧୮ ପଇସା ଭଡ଼ା ଧାର୍ଯ୍ୟ ହୋଇଥିବାବେଳେ ଏକ୍ସପ୍ରେସ୍ ବସ୍ ପାଇଁ ୧ ଟଙ୍କା ୨୪ ପଇସା ରଖାଯାଇଛି। ସେହିପରି ସେମି ଡିଲକ୍ସ ବସ୍ ପାଇଁ ୧ ଟଙ୍କା ୩୦ ପଇସା, ଡିଲକ୍ସ ବସ୍ ପାଇଁ ୧ ଟଙ୍କା ୪୧ ପଇସା ଏବଂ ଏସି ଡିଲକ୍ସ ବସ୍ ପାଇଁ ୧ ଟଙ୍କା ୯୯ ପଇସା ଭଡ଼ା ନିର୍ଦ୍ଧାରଣ କରାଯାଇଛି ।ଅନ୍ୟପକ୍ଷରେ ସୁପର ପ୍ରିମିୟମ୍ ବସ୍ ପାଇଁ କିଲୋମିଟର ପିଛା ୩ ଟଙ୍କା ୨୧ ପଇସା ଏବଂ ସୁପର ପ୍ରିମିୟମ୍ ଫୁଲ୍ ସ୍ଲିପର ଏସି କୋଚ୍ ପାଇଁ ୪ ଟଙ୍କା ୬୧ ପଇସା ଭଡ଼ା ଧାର୍ଯ୍ୟ ହୋଇଛି । ତେବେ ଏହି ନୂଆ ଭଡ଼ା ତାଲିକା ଟାଉନ୍ ବସ୍ ବ୍ୟତୀତ ରାଜ୍ୟର ଅନ୍ୟ ଷ୍ଟେଜ୍ କ୍ୟାରେଜ୍ ବସ୍ ପାଇଁ ଲାଗୁ ହେବ। ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ତାରିଖଠାରୁ ଏହା କାର୍ଯ୍ୟକାରୀ ହେବ।ବିଜ୍ଞପ୍ତିରେ ଯାତ୍ରୀଙ୍କ ପାଇଁ ଲଗେଜ୍ ନିୟମ ମଧ୍ୟ ସ୍ପଷ୍ଟ କରାଯାଇଛି । ପ୍ରତ୍ୟେକ ଯାତ୍ରୀଙ୍କୁ ୧୫ କିଲୋଗ୍ରାମ ପର୍ଯ୍ୟନ୍ତ ଲଗେଜ୍ ମାଗଣାରେ ନେବାକୁ ସୁବିଧା ମିଳିବ।

Leave a Reply

Your email address will not be published. Required fields are marked *