ଉବେର ଓ ରାପିଡୋକୁ ୧୫ ଦିନର ସମୟ
ଓଡ଼ିଶାରେ ଘରୋଇ ବାଇକ୍ ରେ ଟ୍ୟାକ୍ସି ସେବା ବନ୍ଦ ପାଇଁ ନିର୍ଦ୍ଦେଶ । ଉବେର ଓ ରାପିଡୋକୁ ୧୫ ଦିନର ସମୟ । ଓଡ଼ିଶାରେ ଘରୋଇ ବାଇକ୍ କୁ ବ୍ୟବସାୟିକ ଯାତ୍ରୀ ପରିବହନରେ ବ୍ୟବହାର କରିବା ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ପୋଲିସ କ୍ରାଇମବ୍ରାଞ୍ଚ । ଉବର୍ ଓ ରାପିଡୋ ଭଳି ଅନଲାଇନ୍ ଯାତ୍ରୀ ପରିବହନ ସଂସ୍ଥାକୁ ଘରୋଇ ବାଇକ୍ ରେ ଯାତ୍ରୀ ବୁକିଂ ସୁବିଧା ବନ୍ଦ କରିବାକୁ କୁହାଯାଇଛି । ଏଥିପାଇଁ ଉଭୟ ସଂସ୍ଥାକୁ ୧୫ ଦିନର ସମୟ ଦିଆଯାଇଛି ।୧୦ ତାରିଖରେ ପରିବହନ କମିଶନର ତଥା ରାଜ୍ୟ ପରିବହନ ପ୍ରାଧିକରଣର ଅଧ୍ୟକ୍ଷଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏ ସମ୍ପର୍କରେ ଚିଠି ଲେଖାଯାଇଛି । କଟକ, ଭୁବନେଶ୍ୱର-୧ ଏବଂ ଭୁବନେଶ୍ୱର-୨ ଆର୍ ଟିଓଙ୍କ ସ୍ୱତନ୍ତ୍ର ଯାଞ୍ଚ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆଯାଇଛି । ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ, ଅନଲାଇନ୍ ଆପ୍ ମାଧ୍ୟମରେ କେତେକ ଘରୋଇ ଦୁଇଚକିଆ ଯାନକୁ ବ୍ୟବସାୟିକ ଯାତ୍ରୀ ପରିବହନରେ ନିୟୋଜିତ କରାଯାଉଛି । ଏହା ମୋଟର ଯାନ ଆଇନ, ୧୯୮୮ ଏବଂ ଓଡ଼ିଶା ଅନ୍ -ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଆଗ୍ରିଗେଟର୍ସ ଗାଇଡ୍ ଲାଇନ୍ସ, ୨୦୨୩ର ଉଲ୍ଲଂଘନ ବୋଲି କ୍ରାଇମବ୍ରାଞ୍ଚ ଦର୍ଶାଇଛି ।
