ଦିଲ୍ଲୀରେ ବିଷାକ୍ତ ବାୟୁ, ୩୪୯ ଛୁଇଁଲା AQI
ଦିଲ୍ଲୀରେ ବିଗିଡ଼ିଲା ବାୟୁର ମାନ । ଧୀରେ ଧୀରେ ବିଷାକ୍ତ ହେଉଛି ରାଜଧାନୀର ପବନ । ସୋମବାର ସକାଳୁ ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ‘ଅତି ଖରାପ’ ଶ୍ରେଣୀକୁ ଖସିଯାଇଛି । କେତେକ ସ୍ଥାନରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୫୦ ପାଖାପାଖି ପହଞ୍ଚିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସକାଳ ୭ଟା ପୂର୍ବର ତଥ୍ୟ ଅନୁସାରେ, ଅକ୍ଷରଧାମ ମନ୍ଦିର ଓ ଆଇଟିଓ ଅଞ୍ଚଳରେ ଏକ୍ୟୁଆଇ । ୩୪୯ ରେକର୍ଡ ହୋଇଥିବା ବେଳେ ଇଣ୍ଡିଆ ଗେଟ୍ ଓ ଜନପଥ ଅଞ୍ଚଳରେ ଏହା ୩୩୫ ରହିଛି ।
ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନଭେମ୍ବର ୧ରୁ ଦିଲ୍ଲୀ-ଏନ୍ସିଆର୍ରେ ନୂଆ କଟକଣା ଲାଗୁ ହୋଇଥିଲେ ମଧ୍ୟ ପ୍ରଥମ ଦିନରୁ ହିଁ ବାୟୁର ମାନ ଖରାପ ହେବା ଆରମ୍ଭ କରିଛି। ବର୍ଷା ଯୋଗୁଁ ଦୁଇ ଦିନ ଧରି ପ୍ରଦୂଷଣରୁ ଆଶ୍ୱସ୍ତି ମିଳିଥିଲା । କିନ୍ତୁ ରବିବାରଠାରୁ ପୁଣି ବଢ଼ିଥିଲା ପ୍ରଦୂଷଣ । ଗୋଟିଏ ଦିନରେ ଦିଲ୍ଲୀର ହାରାହାରି AQI ୧୧୭ରୁ ୨୬୧କୁ ବୃଦ୍ଧି ପାଇଥିଲା। ଅର୍ଥାତ୍ ମାତ୍ର ୨୪ ଘଣ୍ଟାରେ ୧୪୪ ପଏଣ୍ଟ ବଢ଼ିଥିଲା ବାୟୁ ପ୍ରଦୂଷଣ । ଦିଲ୍ଲୀର ୫୭ଟି ନିରୀକ୍ଷଣ କେନ୍ଦ୍ର ମଧ୍ୟରୁ ୨୩ଟିରେ AQI ୩୦୦ ଅତିକ୍ରମ କରିଥିଲା ।
