ସମ୍ଭାବ୍ୟ ବାତ୍ୟା, ୭ ଜିଲ୍ଲାକୁ ବିପଦ
ବଙ୍ଗୋପସାଗରରେ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତା ବଢ଼ିଛି। ଘୂର୍ଣ୍ଣିବଳୟ ଅବପାତର ରୂପ ନେଇସାରିଛି ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ନଭେମ୍ବର ୨ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ବୟାନ ଗୁରୁତ୍ୱପୂର୍ଣ୍ଣ ହୋଇଛି। ତାଙ୍କ ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ନଭେମ୍ବର ୨ ସନ୍ଧ୍ୟା ସୁଦ୍ଧା ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି।
ତେଣୁ ନଭେମ୍ବର ୨ରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ। ବିଶେଷକରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପବନ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ବଙ୍ଗୋପସାଗରରେ ପାଣିପାଗ ପରିସ୍ଥିତି ବଦଳୁଥିବାରୁ ପରବର୍ତ୍ତୀ ଅପଡେଟ୍ ଉପରେ ନଜର ରଖିଛି ପାଣିପାଗ ବିଭାଗ।
