ଗ୍ରାପ୍-୧ ପଦକ୍ଷେପ ସତ୍ତ୍ୱେ ପ୍ରଦୂଷଣ କମୁନି

ଦିଲ୍ଲୀରେ ଏକ୍ୟୁଆଇ ୩୩୭କୁ ବୃଦ୍ଧି

ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଗୁରୁବାର ଅପରାହ୍ଣରେ ପ୍ରଦୂଷଣର ମାତ୍ରା କିଛି ହ୍ରାସ ପାଇଥିବା ବେଳେ ରାତିରେ ଏହା ପୁଣି ବଢ଼ିଥିଲା। ଶୁକ୍ରବାର ସକାଳ ୯ଟା ୩୧ ମିନିଟ୍‌ରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୩୭ରେ ପହଞ୍ଚିଥିବା ଏକ୍ୟୁଆଇ ଡଟ୍‌ ଇନ୍‌ର ତଥ୍ୟରୁ ଜଣାପଡ଼ିଛି। ଏହା ‘ଅତି ଖରାପ’ ବର୍ଗରେ ଆସୁଛି। ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ନିଆଯିବା ସତ୍ତ୍ୱେ ସ୍ଥିତିରେ ସୁଧାର ନ ଆସିବା ଚିନ୍ତା ବଢ଼ାଇଛି।ଦଶହରା ପରେ ପ୍ରଦୂଷଣ ବଢ଼ିବାରୁ ବାୟୁ ଗୁଣବତ୍ତା ପରିଚାଳନା କମିସନ (ସିଏକ୍ୟୁଏମ୍‌) ଅକ୍ଟୋବର ୨୧ରେ ଦିଲ୍ଲୀ-ଏନ୍‌ସିଆର୍‌ରେ ଗ୍ରେଡେଡ୍‌ ରେସ୍‌ପନ୍ସ ଆକ୍ସନ୍‌ ପ୍ଲାନ୍‌ର ପ୍ରଥମ ପର୍ଯ୍ୟାୟ (ଗ୍ରାପ୍-୧) ଲାଗୁ କରିଥିଲା।

ଏହାର ମାତ୍ର ଦୁଇ ଦିନ ପରେ ଏକ୍ୟୁଆଇ ୩୦୦ ଅତିକ୍ରମ କରିବାରୁ ଏହି ପଦକ୍ଷେପର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଛି। ଗୁରୁବାର ଅପରାହ୍ଣରେ ଦିଲ୍ଲୀର ଏକ୍ୟୁଆଇ ପ୍ରାୟ ୧୧୦ରୁ ୧୧୫ ମଧ୍ୟରେ ଥିଲା। କିନ୍ତୁ ସନ୍ଧ୍ୟା ପରଠାରୁ ଏହା ଧୀରେ ଧୀରେ ବଢ଼ିବା ସହ ରାତିରେ ୨୦୦ ଅତିକ୍ରମ କରିଥିଲା। ଶୁକ୍ରବାର ସକାଳେ ଏହା ୩୩୭ରେ ପହଞ୍ଚିଥିଲା। ଭାରତର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ବର୍ଗୀକରଣ ଅନୁଯାୟୀ, ୩୦୧ରୁ ୪୦୦ ମଧ୍ୟରେ ଥିବା ଏକ୍ୟୁଆଇ ‘ଅତି ଖରାପ’ ବର୍ଗରେ ଆସେ।

Leave a Reply

Your email address will not be published. Required fields are marked *