କଂଗ୍ରେସକୁ ଅମିତ୍ ଶାହଙ୍କ ନିଶାନା

୩୦ ବର୍ଷ ଯାଏଁ କ୍ଷମତାକୁ ଆସିବନି କଂଗ୍ରେସ- ଶାହ

ଭୋଟ୍ ଚୋରି ଅଭିଯୋଗକୁ ନେଇ ଦେଶର ରାଜନୀତି ସରଗରମ ଥିବାବେଳେ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାହୁଲ ଗାନ୍ଧି ବିଦେଶ ଗସ୍ତରେ ଥିବାବେଳେ ଶାହଙ୍କ ଏକ ବୟାନ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ାଇଛି। ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ କଂଗ୍ରେସ କ୍ଷମତାକୁ ଆସିପାରିବ ନାହିଁ ବୋଲି ସେ କଟାକ୍ଷ କରିଛନ୍ତି।ଯମୁନା ନଦୀର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ୮,୯୪୧ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ଅବସରରେ ଶାହ କଂଗ୍ରେସକୁ ନିଶାନା କରିଥିଲେ। ରାହୁଲଙ୍କ ବିଦେଶ ଗସ୍ତକୁ ନେଇ ସେ କହିଥିଲେ, “ଆପଣ ଏବେ ବିଦେଶରେ ବସିଛନ୍ତି, ତେଣୁ ମୋ କଥା ଶୁଣିପାରୁନାହାନ୍ତି। ଏହା ଆପଣଙ୍କ ବ୍ୟକ୍ତିଗତ ଜୀବନ। କିନ୍ତୁ ଦିଲ୍ଲୀ ଫେରିବା ପରେ ମୋ କଥା ଶୁଣନ୍ତୁ, ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ପାଳି ଆସିବ ନାହିଁ।”ରିପୋର୍ଟ ଅନୁସାରେ, ରାହୁଲ ଗାନ୍ଧି ଚାରିଦିନିଆ ଭିଏତନାମ ଗସ୍ତରେ ଅଛନ୍ତି। ଅନ୍ୟପଟେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଯୋଗ ଏବଂ SIR ପ୍ରକ୍ରିୟାକୁ ନେଇ ଇଣ୍ଡି ମେଣ୍ଟର ନେତାମାନେ ପ୍ରତିବାଦ କରୁଛନ୍ତି। ରାହୁଲଙ୍କ ବିଦେଶ ଗସ୍ତକୁ ନେଇ ବିଜେପି ନେତାମାନେ ସମାଲୋଚନା କରିଥିବାବେଳେ କଂଗ୍ରେସ କହିଛି ଯେ ବ୍ୟକ୍ତିଗତ ସମୟରେ ଯେକୌଣସି ସ୍ଥାନକୁ ଯିବାର ଅଧିକାର ରାହୁଲଙ୍କର ରହିଛି।

ଶାହ ଆହୁରି କହିଛନ୍ତି, ପଶ୍ଚିମବଙ୍ଗରେ ୫୪ ବର୍ଷ, ଅରୁଣାଚଳ ପ୍ରଦେଶରେ ୧୨ ବର୍ଷ ଏବଂ ଦିଲ୍ଲୀରେ ୧୮ ବର୍ଷ ଧରି କଂଗ୍ରେସ ନିର୍ବାଚନ ଜିତିପାରିନାହିଁ। ଏହାକୁ ନେଇ ବିରୋଧୀ ଦଳ ଭୋଟ୍ ଚୋରି ଅଭିଯୋଗ ଆଣୁଥିବା ସେ କହିଛନ୍ତି।ଏହା ସହ ଯମୁନା ସଫେଇ ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି (AAP) ଓ କଂଗ୍ରେସକୁ ଘେରିଛନ୍ତି ଶାହ। ଦୀର୍ଘଦିନ କ୍ଷମତାରେ ରହି ମଧ୍ୟ ନଦୀକୁ ପ୍ରଦୂଷଣମୁକ୍ତ କରିବାରେ ସେମାନେ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଯମୁନୋତ୍ରୀରୁ ପ୍ରୟାଗରାଜର ସଙ୍ଗମ ପର୍ଯ୍ୟନ୍ତ ଯମୁନାକୁ ସଫା କରିବା ଲକ୍ଷ୍ୟରେ ବିଜେପି ସରକାର କାମ କରିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *