ଆଜି ଛାତ୍ର ସଂସଦ ନିର୍ବାଚନ
ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଆଜି ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଲକ୍ଷାଧିକ ଛାତ୍ରଛାତ୍ରୀ ସେମାନଙ୍କ ନେତା ଚୟନ କରିବେ। ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବାଲଟ୍ ପେପର ଓ ବାକ୍ସ ପ୍ରସ୍ତୁତ ସରିଥିବା ବେଳେ ସମସ୍ତ କ୍ୟାମ୍ପସ୍ରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ଆଜି ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ନିର୍ବାଚନକୁ ବାତିଲ କରାଯାଇଛି। ତେଣୁ ଚଳିତବର୍ଷ ୧୨ଟି ବିଶ୍ବବିଦ୍ୟାଳୟ ସମେତ ୩୪୬ଟି ମହାବିଦ୍ୟାଳୟକୁ ମିଶାଇ ମୋଟ ୩୫୮ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି। ଯେଉଁଥିରେ ୬,୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଛାତ୍ରଛାତ୍ରୀ। ୧୨ଟି ବିଶ୍ବବିଦ୍ୟାଳୟର ବିଭିନ୍ନ ପଦବିରେ ୩୫୮ ପ୍ରାର୍ଥୀ ଏବଂ ମହାବିଦ୍ୟାଳୟରେ ୬,୮୯୧ ପ୍ରାର୍ଥୀ ରହିଛନ୍ତି। ସଭାପତି ପଦବିରେ ମୋଟ ୮୬୬ ପ୍ରାର୍ଥୀ ରହିଥିବା ବେଳେ ଉପସଭାପତିରେ ୭୧୬ ଓ ସାଧାରଣ ସମ୍ପାଦକ ପଦବି ପାଇଁ ୬୧୬ ଜଣ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି।
