ହାତ ଧରିଲେ ପ୍ରବୋଧ ତିର୍କୀ

କଂଗ୍ରେସରେ ଆନୁଷ୍ଠାନିକ ଭାବେ ମିଶିଲେ ହକି ତାରକା ପ୍ରବୋଧ ତିର୍କୀ

ପୂର୍ବରୁ ଚର୍ଚ୍ଚା ଆଉ ଏବେ ପୁରା ସ୍ପଷ୍ଟ । କଂଗ୍ରେସରେ ଅନୁଷ୍ଠାନିକ ଭାବେ ମିଶିଲେ ହକି ତାରକା ପ୍ରବୋଧ ତିର୍କୀ। ଭୁବନେଶ୍ୱର କଂଗ୍ରେସ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ପ୍ରବୋଧ । ପିସିସି ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଚେଲାକୁମାର, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଏହି  ମିଶ୍ରଣ ପର୍ବରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଦଳ ପ୍ରବୋଧଙ୍କୁ ସ୍ଵାଗତ କରିଥିବା ବେଳେ ଆଗାମୀ ନିର୍ବାଚନରେ କଂଗ୍ରେସର ଜଣେ ଯୋଦ୍ଧା ସାଜିବେ ବୋଲି ମତ ରଖିଛନ୍ତି ପ୍ରବୋଧ ।

 ତେବେ କଂଗ୍ରେସରେ ମିଶିବା ପରେ ପ୍ରବୋଧ ତିର୍କୀ କହିଛନ୍ତି, ମୁଁ ଦେଶ ପାଇଁ ଖେଳୁଥିଲି। ଏବେ ମୁଁ ଲୋକଙ୍କ ସେବା କରିବାକୁ ଚାହୁଁଛି। ମୁଁ ମୋ ଅଞ୍ଚଳରେ ଥିବା ସମସ୍ତ ସମସ୍ୟା ସମାଧାନ କରିବି। ରାହୁଲ ଗାନ୍ଧୀଙ୍କ ଆର୍ଦଶରେ ଅନୁପ୍ରାଣିତ ହୋଇ ମୁଁ କଂଗ୍ରେସ ଦଳରେ ସାମିଲ ହୋଇଛି। ମୁଁ ଆଗାମୀ ସାଧାରଣ ନିର୍ବାଚନରେ ତଲସରା ଆସନରୁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ରହିଛି। ଆଗକୁ ନିର୍ବାଚନ , ଏହାକୁ ନଜରରେ ରଖି ବଳ ଗୋଟାଉଛି କଂଗ୍ରେସ । ଖାଲି ପ୍ରବୋଧ ନୁହନ୍ତି ଅନେକଙ୍କୁ ଦଳରେ ସାମିଲ କରିବାରେ ଲାଗିପଡିଛି କଂଗ୍ରେସ । ଦେଖିବାକୁ ବାକି ରହିଲା କଂଗ୍ରେସର ସ୍ଥିତି ଆଗାମୀ ପର୍ଯ୍ୟାୟରେ କଣ ହେଉଛି ।