ଆଜି ଭାରତୀୟ ବାୟୁସେନା ଦିବସ
ଆଜି ଭାରତୀୟ ବାୟୁସେନା ଦିବସ । ୯୪ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା । ୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ଦେଶର ଆକାଶ ସୀମାକୁ ସୁରକ୍ଷିତ ରଖିବା ସହ ଯୁଦ୍ଧ ଓ ଜରୁରୀ ପରିସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି ବାୟୁସେନା । ସ୍ୱାଧୀନତା ପୂର୍ବରୁ ରୟାଲ ଇଣ୍ଡିଆନ୍ ଏୟାରଫୋର୍ସ ଭାବେ ପରିଚିତ ଥିବା ଏହି ବାହିନୀ ୧୯୫୦ ମସିହାରେ ଭାରତ ଗଣତନ୍ତ୍ର ହେବା ପରେ ଭାରତୀୟ ବାୟୁସେନା ନାମରେ ପରିଚିତ ହୋଇଥିଲା । ଗତ ୯୪ ବର୍ଷ ମଧ୍ୟରେ ଭାରତୀୟ ବାୟୁସେନା ନିଜର ଶକ୍ତି, ଦକ୍ଷତା ଓ ଆଧୁନିକ ଯୁଦ୍ଧ କୌଶଳ ଦ୍ୱାରା ବିଶ୍ୱର ଅନ୍ୟତମ ପ୍ରମୁଖ ବାୟୁସେନା ଭାବେ ସ୍ଥାନ ହାସଲ କରିଛି ।
୧୯୪୭-୪୮ର କଶ୍ମୀର ଯୁଦ୍ଧଠାରୁ ଆରମ୍ଭ କରି ୧୯୬୫ ଓ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ଏବଂ ୧୯୯୯ର କାରଗିଲ୍ ଯୁଦ୍ଧ ପର୍ଯ୍ୟନ୍ତ ଭାରତୀୟ ବାୟୁସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ।ବିଶେଷକରି କାରଗିଲ ଯୁଦ୍ଧ ସମୟରେ ଅପରେସନ୍ ସଫେଦ ସାଗର ମାଧ୍ୟମରେ ଶତ୍ରୁପକ୍ଷର ଠିକଣା ଉପରେ ଆକ୍ରମଣ କରିଥିଲା ବାୟୁସେନା । ବର୍ତ୍ତମାନ ଭାରତୀୟ ବାୟୁସେନା ପାଖରେ ରାଫେଲ୍, ସୁଖୋଇ-୩୦ ଏମକେଆଇ, ମିରାଜ୍-୨୦୦୦ ଓ ସ୍ୱଦେଶୀ ତେଜସ୍ ଭଳି ଲଢୁଆ ବିମାନ ରହିଛି ।
ଏହା ସହିତ ଆଧୁନିକ ହେଲିକପ୍ଟର, ପରିବହନ ବିମାନ, ରାଡାର ଓ ଆକାଶ ପ୍ରତିରକ୍ଷା ବ୍ୟବସ୍ଥା ବାୟୁସେନାର ଶକ୍ତିକୁ ଆହୁରି ବୃଦ୍ଧି କରିଛି । ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ସ୍ୱଦେଶୀ ଯୁଦ୍ଧ ବିମାନ ଓ ପ୍ରତିରକ୍ଷା ଉପକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । କେବଳ ଯୁଦ୍ଧ କ୍ଷେତ୍ରରେ ନୁହେଁ, ବନ୍ୟା, ବାତ୍ୟା, ଭୂମିକମ୍ପ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଭାରତୀୟ ବାୟୁସେନା ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଆଗରେ ରହିଛି ।
