ଛାତ୍ର ସଂସଦ ନିର୍ବାଚନର ସୁପରିଚାଳନା ବୈଠକ

ହିଂସା ଉପୁଜିଲେ, ଲିଙ୍ଗଡ଼ୋ କମିଶନ ନିୟମାବଳୀ ଆଧାରରେ କାର୍ଯ୍ୟାନୁଷ୍ଠାନ

ଚଳିତ ବର୍ଷ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଯେପରି ଶାନ୍ତି ଓ ଶୃଙ୍ଖଳାର ସହ ଅନୁଷ୍ଠିତ ହେବ, ସେ ନେଇ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଦୀର୍ଘ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସମସ୍ତ ଜିଲ୍ଲାମାନଙ୍କରେ ଥିବା ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଯେପରି ଶାନ୍ତି ଓ ଶୃଙ୍ଖଳାର ସହ ନିର୍ବାଚନ ସୁପରିଚାଳିତ ହେବ ତାହାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଛାତ୍ର ସଂସଦ ନିର୍ବାଚନ ପାଇଁ ଅକ୍ଟୋବର ୯ ତାରିଖ ଦିନ ପ୍ରାର୍ଥୀମାନଙ୍କର ନୋମିନେସନ୍‌ ଫାଇଲିଂ ଥିବାବେଳେ ଅକ୍ଟୋବର ୧୫ ତାରିଖ ଦିନ ନିର୍ବାଚନ ହେବା ସହ ନିର୍ବାଚନର ଫଳାଫଳ ଘୋଷଣା ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍‌ରେ ଯେପରି କୌଣସି ପ୍ରକାର ହିଂସା ବା ବିଶୃଙ୍ଖଳା ପରିସ୍ଥିତି ନ ଉପୁଜେ, ତାହାକୁ ଜିଲ୍ଲାପାଳ ଓ ଏସ୍‌ପିମାନେ ସୁନିଶ୍ଚିତ କରିବା ସହ ଶିକ୍ଷାନୁଷ୍ଠାନଗୁଡିକୁ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି।

ଏଥିସହ ଲିଙ୍ଗଡ଼ୋ କମିଶନ ରିପୋର୍ଟ ଅନୁଯାୟୀ ଛାତ୍ର ସଂସଦ ନିର୍ବାଚନ ସମୟରେ ଅଣଛାତ୍ରମାନଙ୍କର ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ ମଧ୍ୟରେ ପ୍ରବେଶ ଓ ଅଯଥା ହସ୍ତକ୍ଷେପ ଏବଂ ବିଶୃଙ୍ଖଳା ସୃଷ୍ଟିକୁ ନିଷେଧ କରାଯାଇଛି। ଏହା ଉପରେ ମଧ୍ୟ ନଜର ରଖିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାପାଳ,ଏସ୍‌ପି, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳମାନେ ନିଜ ଜିଲ୍ଲାରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ପରିଦର୍ଶନ କରିବା ସହ ଛାତ୍ର ସଂସଦ ନିର୍ବାଚନ ଓ ଏହାର ପରିଚାଳନା ସମ୍ବନ୍ଧରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି

Leave a Reply

Your email address will not be published. Required fields are marked *