୨,୦୦୦ ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ ପେମେଣ୍ଟରେ ୦.୪% MDR ଲାଗିପାରେ

ଗ୍ରାହକଙ୍କ ପାଇଁ UPI ମାଗଣା !

ଡିଜିଟାଲ୍ ପେମେଣ୍ଟର ସବୁଠାରୁ ବଡ଼ ମାଧ୍ୟମ ପାଲଟିଥିବା UPI ଚାର୍ଜ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ବଢ଼ିଛି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୟୁପିଆଇ ପେମେଣ୍ଟ ପାଇଁ ଗ୍ରାହକଙ୍କଠାରୁ କୌଣସି କାରବାର ଶୁଳ୍କ ଆଦାୟ କରାଯିବ ନାହିଁ। ଗ୍ରାହକ ଭାବେ ଆପଣ ଦୋକାନ, ରେଷ୍ଟୁରାଣ୍ଟ କିମ୍ବା ପେଟ୍ରୋଲ ପମ୍ପରେ UPIରେ ପେମେଣ୍ଟ କଲେ ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ ନାହିଁ। ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ UPIରେ ଟଙ୍କା ପଠାଇଲେ ମଧ୍ୟ କୌଣସି ଚାର୍ଜ ନାହିଁ। ୨,୦୦୦ ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ ପେମେଣ୍ଟରେ ୦.୪% MDR ବା ମର୍ଚ୍ଚାଣ୍ଟ ଡିସ୍ କାଉଣ୍ଟ ରେଟ୍ ଲାଗିପାରେ।

ଏହାର ସର୍ବାଧିକ ସୀମା ରହିଛି ୩୦୦ ଟଙ୍କା। ତେବେ ଏହି ଚାର୍ଜ ଗ୍ରାହକ ନୁହେଁ, ମର୍ଚ୍ଚାଣ୍ଟ ବା ଦୋକାନୀ ଦେବେ। ରେଳ ଟିକେଟ୍, ଇନ୍ଧନ, ଟେଲିକମ୍, ବୀମା ଭଳି କିଛି କ୍ଷେତ୍ରରେ ୨,୦୦୦ ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ୫ ଟଙ୍କା ଫ୍ଲାଟ୍ ଚାର୍ଜ ରହିବ। ଉଦାହରଣ ସ୍ବରୁପ ଆପଣ ୫ ହଜାର ଟଙ୍କାର ଇନ୍ଧନ ଭରିଲେ ଆପଣ କେବଳ ୫ ହଜାର ଟଙ୍କା ହିଁ ଦେବେ । ୫ ଟଙ୍କାର ଚାର୍ଜ ଥିଲେ ମଧ୍ୟ ଏହା ମର୍ଚ୍ଚାଣ୍ଟ ଦେବେ। ୩୦ ହଜାର ଟଙ୍କାର ଫୋନ୍ କିଣିଲେ ଆପଣଙ୍କ ପେମେଣ୍ଟ ୩୦ ହଜାର ଟଙ୍କା ହିଁ ରହିବ। ମାତ୍ର ମର୍ଚ୍ଚାଣ୍ଟଙ୍କ ଉପରେ ୦.୪% MDR ଲାଗିବ। ସେହିଭଳି ବନ୍ଧୁଙ୍କୁ ଟଙ୍କା ପଠାଇବା ବେଳେ ୧୦,୦୦୦ ଟଙ୍କା ପଠାଇଲେ ମଧ୍ୟ ପଠାଉଥିବା ବ୍ୟକ୍ତି କିମ୍ବା ଟଙ୍କା ପାଉଥିବା ବ୍ୟକ୍ତି କାହାକୁ ଚାର୍ଜ ଦେବାକୁ ପଡ଼ିବ ନାହିଁ।

ଏଣୁ UPIରେ ଟଙ୍କା ପଠାଇବା ଏବଂ ଗ୍ରାହକ ଭାବେ ପେମେଣ୍ଟ କରିବା ଏବେ ବି ମାଗଣା। ଚାର୍ଜ ଲାଗିଲେ ମୁଖ୍ୟତଃ ଏହାର ଭାର ମର୍ଚ୍ଚାଣ୍ଟଙ୍କ ଉପରେ ପଡ଼ିବ। ୨,୦୦୦ ଟଙ୍କା ପର୍ଯ୍ୟନ୍ତ ମର୍ଚ୍ଚାଣ୍ଟ ପେମେଣ୍ଟରେ MDR ଶୂନ ରହିବାରୁ ଦୈନନ୍ଦିନ ଛୋଟ ପେମେଣ୍ଟଗୁଡ଼ିକ ଉପରେ ଚାର୍ଜ ଆସିବ ନାହିଁ। ଆସନ୍ତା ଅକ୍ଟୋବର ୧୫ ତାରିଖରୁ ନୂଆ ନିୟମ ଲାଗୁ ନେଇ ନାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *