ବିଜେପିର ୭ଟି ମୋର୍ଚ୍ଚା ପାଇଁ ନୂଆ ପ୍ରଭାରୀ ଘୋଷଣା
ଭାରତୀୟ ଜନତା ପାର୍ଟି ସଂଗଠନର ୭ଟି ମୋର୍ଚ୍ଚା ପାଇଁ ନୂଆ ପ୍ରଭାରୀଙ୍କ ନାମ ଘୋଷଣା କରିଛି । ଦଳର ସାଂଗଠନିକ ସମନ୍ୱୟ ଓ ବିଭିନ୍ନ ବର୍ଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ନିଯୁକ୍ତି କରାଯାଇଛି । ଏହି ନୂଆ ଦାୟିତ୍ୱ ବଣ୍ଟନରେ କେନ୍ଦ୍ରାପଡ଼ା ସାଂସଦ ତଥା ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଓବିସି (OBC) ମୋର୍ଚ୍ଚାର ପ୍ରଭାରୀ କରାଯାଇଛି ।
ସେହିପରି ଯୁବ ମୋର୍ଚ୍ଚାର ପ୍ରଭାରୀ ହରିଶ ଦ୍ୱିବେଦୀ, ମହିଳା ମୋର୍ଚ୍ଚାର ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ଏସ୍ସି ମୋର୍ଚ୍ଚାର ପ୍ରଭାରୀ ସଞ୍ଜୟ ଭାଟିଆ, ଓବିସି ମୋର୍ଚ୍ଚାର ପ୍ରଭାରୀ ବୈଜୟନ୍ତ ପଣ୍ଡା, କୃଷକ ମୋର୍ଚ୍ଚାର ପ୍ରଭାରୀ ଲାଲ୍ ସିଂହ ଆର୍ୟ୍ୟ, ଏସ୍ଟି ମୋର୍ଚ୍ଚାର ପ୍ରଭାରୀ ସତୀଶ ପୁନିଆ ଏବଂ ସଂଖ୍ୟାଲଘୁ ମୋର୍ଚ୍ଚାର ପ୍ରଭାରୀ ଗଜେନ୍ଦ୍ର ପଟେଲ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ବିଜେପିର ପୂର୍ବତନ ରାଜ୍ୟ ସଭାପତି ଡି. ପୁରନ୍ଦେଶ୍ୱରୀଙ୍କୁ ମହିଳା ମୋର୍ଚ୍ଚାର ଦାୟିତ୍ୱ ମିଳିଛି। ହରିୟାଣାର ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ଭାଟିଆ ଏସ୍ସି ମୋର୍ଚ୍ଚାର ପ୍ରଭାରୀ ହୋଇଛନ୍ତି । କୃଷକ ମୋର୍ଚ୍ଚାର ଦାୟିତ୍ୱ ପାଇଥିବା ଲାଲ୍ ସିଂହ ଆର୍ୟ୍ୟ ମଧ୍ୟପ୍ରଦେଶ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ରହିଥିଲେ ଏବଂ ଦଳର ଜାତୀୟ ଉପାଧ୍ୟକ୍ଷ ଅଛନ୍ତି ।ସେହିପରି ରାଜସ୍ଥାନ ବିଜେପିର ପୂର୍ବତନ ସଭାପତି ସତୀଶ ପୁନିଆ ଦଳର ବରିଷ୍ଠ ନେତା । ହରିୟାଣା ବିଧାନସଭା ନିର୍ବାଚନରେ ସେ ପ୍ରଭାରୀ ଭାବେ ଦଳକୁ ଲଗାତାର ତୃତୀୟ ଥର ସରକାର ଗଠନରେ ସହାୟତା କରିଥିଲେ । ଏବେ ତାଙ୍କୁ ଏସ୍ଟି ମୋର୍ଚ୍ଚାର ଦାୟିତ୍ୱ ମିଳିଛି । ମଧ୍ୟପ୍ରଦେଶର ଖରଗୋନ-ବଡ଼ୱାନୀ ଲୋକସଭା ଆସନର ସାଂସଦ ଗଜେନ୍ଦ୍ର ପଟେଲଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚାର ପ୍ରଭାରୀ କରାଯାଇଛି ।
