ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀରେ ହେବ ବ୍ରିକ୍ସ ଲିଡର୍ସ ସମ୍ମିଳନୀ

ନୂଆଦିଲ୍ଲୀରେ ବସିବ ବ୍ରିକ୍ସର ମେଗା ବୈଠକ

ଭାରତରେ ଆୟୋଜିତ ହେବାକୁ ଯାଉଛି ୧୮ତମ ବ୍ରିକ୍ସ ଲିଡର୍ସ ସମ୍ମିଳନୀ । ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଏହି ମେଗା ସମ୍ମିଳନୀ ଅନୁଷ୍ଠିତ ହେବ । ଚଳିତ ବର୍ଷ ଭାରତ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିସ୍ତାରିତ ବ୍ରିକ୍ସ ଗୋଷ୍ଠୀର ସଦସ୍ୟ ଓ ସହଯୋଗୀ ଦେଶର ନେତାମାନଙ୍କୁ ସ୍ୱାଗତ କରିବେ । ସେପ୍ଟେମ୍ବର ୧୨ ତାରିଖରେ ବ୍ରିକ୍ସର ୧୧ଟି ସଦସ୍ୟ ଦେଶର ନେତାଙ୍କ ଅଂଶଗ୍ରହଣରେ ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହା ପରେ ସେପ୍ଟେମ୍ବର ୧୩ ତାରିଖରେ ବ୍ରିକ୍ସ ସହଯୋଗୀ ଦେଶ ଏବଂ ଆଉଟରିଚ୍‌ ପାର୍ଟନର ଦେଶଗୁଡ଼ିକର ନେତାମାନେ ଶିଖର ବୈଠକରେ ଯୋଗଦେବେ ।ଏହି ସମ୍ମିଳନୀରେ ବାଣିଜ୍ୟ, ନିବେଶ, ଶକ୍ତି ଓ ଖାଦ୍ୟ ସୁରକ୍ଷା, ଯୋଗାଣ ଶୃଙ୍ଖଳା ଏବଂ ବିଶ୍ୱ ସୁଶାସନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ ।

ବ୍ରିକ୍ସର ୧୧ ଜଣ ପୂର୍ଣ୍ଣକାଳୀନ ସଦସ୍ୟ ହେଉଛନ୍ତି ବ୍ରାଜିଲ, ରୁଷିଆ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମାଫୋସା ସମ୍ମିଳନୀରେ ଯୋଗଦେବା ନିଶ୍ଚିତ କରିଛନ୍ତି ।ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ, ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ, ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଏଲ୍-ସିସି, ଇଥିଓପିଆ ପ୍ରଧାନମନ୍ତ୍ରୀ ଅବିୟ ଅହମ୍ମଦ ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋଙ୍କ ସମେତ ବହୁ ଶୀର୍ଷ ନେତା ଯୋଗଦେବେ । ଏହାସହ ଆବୁଧାବି କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲିଦ୍ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ ଏବଂ ବ୍ରାଜିଲର ବିଦେଶ ମନ୍ତ୍ରୀ ମାଉରୋ ଭିଏରା ମଧ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିବେ ।

Leave a Reply

Your email address will not be published. Required fields are marked *