ଗିରଫ ହେଲେ କୋଟିପତି ନରେଶ ଗୋୟଲ

ଇଡି ହାବୁଡ଼ରେ ଜେଟ୍ ଏୟାର ଓ୍ବେଜର ସଂସ୍ଥାପକ, ୫୩୮ କୋଟି ଠକେଇ ମାମଲାରେ ହେଲେ ଗିରଫ

ଗିରଫ ହେଲେ ଜେଟ୍ ଏୟାର ଓ୍ବେଜର ସଂସ୍ଥାପକ ନରେଶ ଗୋୟଲ । ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡି ବ୍ୟାଙ୍କ୍‌ର ୫୩୮ କୋଟି ଟଙ୍କା ଠକେଇ ମାମଲାରେ ତାଙ୍କୁ ଗିରଫ କରିଛି । ଗିରଫ କରାଯିବା ପୂର୍ବରୁ ଇଡି ତାଙ୍କୁ ଜେରା କରିଥିଲା। ଜେରା ପାଇଁ ଗୋୟଲ ‘ସିରିୟସ୍‌ ଫ୍ରଡ୍‌ ଇନ୍‌ଭେଷ୍ଟିଗେସନ୍‌ ଅଫିସ୍‌’ (ଏସ୍‌ଏଫଆଇଓ) ଅଭିମୁଖେ ବାହାରିଥିଲେ, କିନ୍ତୁ ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀମାନେ ତାଙ୍କୁ ଧରି ନେଇଥିଲେ। କାରଣ, ପୂର୍ବରୁ ‘ଇଡି’ ଜାରି କରିଥିବା ୨ଟି ସମନ୍‌କୁ ସେ ଏଡ଼ାଇ ଯାଇଥିଲେ। ଚଳିତ ବର୍ଷ ମେ’ ପ୍ରାରମ୍ଭରେ ‘ସିବିଆଇ’ ପଞ୍ଜିକୃତ କରାଇଥିବା ‘ଏଫ୍‌ଆଇଆର୍‌’ ଆଧାରରେ ଏହି ମାମଲା ପର୍ଯ୍ୟବେଶିତ। ଗୋୟଲ୍‌ଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ମେ ୫ ତାରିଖ ଦିନ ‘ସିବିଆଇ’ ଅଧିକାରୀମାନେ ମୁମ୍ବାଇର ୭ଟି ସ୍ଥାନରେ ତଲାସ କରିଥିଲେ। ‘ସିବିଆଇ’ ପଞ୍ଜିକୃତ କରାଇଥିବା ‘ଏଫ୍‌ଆଇଆର୍‌’ରେ ଉଲ୍ଲେଖ ଅଛି ଯେ, ଗତବର୍ଷ ନଭେମ୍ବର ୧୧ ତାରିଖରେ ‘ଜେଟ୍‌ ଏୟାର୍‌ୱେଜ୍‌’ର ସଂସ୍ଥାପକ ନରେଶ ଗୋୟଲ ଅପରାଧିକ ଷଡ଼ଯନ୍ତ୍ର, ଅପରାଧିକ ଅର୍ଥଆତ୍ମସାତ ଓ ଅପରାଧିକ ଦୁର୍ନୀତି କରିଥିଲେ। ସେହିପରି, ବ୍ୟାଙ୍କ୍‌ର ଚିଫ୍‌ ଜେନେରାଲ୍‌ ମ୍ୟାନେଜର୍‌ ପି. ‌ସନ୍ତୋଷ ଦସ୍ତଖତ ଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି ଯେ, ଅନୀତା ନରେଶ ଗୋୟଲ୍‌, ଗୌରାଙ୍ଗ ଆନନ୍ଦ ସେଟ୍ଟୀ, ଅଜ୍ଞାତ ସରକାରୀ କର୍ମଚାରୀ ଓ ଅନ୍ୟମାନେ ଜାଲିଆତି କରି ବ୍ୟାଙ୍କ୍‌ର୫୩୮.୬୨ କୋଟି ଟଙ୍କା କ୍ଷତି କରାଇଛନ୍ତି। ସୂଚନାଯୋଗ୍ୟ, ପ୍ରାୟ ୨୫ ବର୍ଷ କାଳ ବିମାନ ଚଳାଚଳ କରାଇଥିବା ‘ଜେଟ୍‌ ଏୟାର୍‌ୱେଜ୍‌’ ୨୦୧୯ରେ ସେବା ବନ୍ଦ କରିଥିଲା। ବିମାନ ଚଳାଇବା ଲାଗି ପାଣ୍ଠି ଯୋଗାଡ଼ କରିବାରେ ଅସମର୍ଥ ହେବାରୁ ତା’ର ବିପୁଳ ଆର୍ଥିକ କ୍ଷତି ହୋଇଥିଲା।