ନେପାଳ ଜଳପ୍ରଳୟ ମୃତ୍ୟୁସଂଖ୍ୟା ୬୦୦ ପାର୍
ବଢିଚାଲିଛି ନେପାଳ ଜଳପ୍ରଳୟ ମୃତ୍ୟୁସଂଖ୍ୟା । ନେପାଳର ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ସାମ୍ନାକୁ ଆସୁଛି ଭୟଙ୍କର ଚିତ୍ର । ନେପାଳ ବିପର୍ଯ୍ୟୟ ପରିଚାଳନା ବିଭାଗର ତଥ୍ୟ ଅନୁସାରେ, ଏବେ ବି ୨୦୦୦ ଲୋକଙ୍କ କୌଣସି ପତ୍ତା ମିଳୁନାହିଁ । ସେହିପରି ନେପାଳ ଜଳପ୍ରଳୟରେ ମୃତ୍ୟୁସଂଖ୍ୟା ୬୦୦ ପାର ହୋଇଛି । ୩,୭୦୦ରୁ ଅଧିକ ଲୋକଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି । ହଜାର ହଜାର ସୁରକ୍ଷାକର୍ମୀ ଉଦ୍ଧାର ଓ ସନ୍ଧାନ ଅଭିଯାନରେ ନିୟୋଜିତ ଅଛନ୍ତି ।ତେବେ ସ୍ଥିତି ଏଭଳି ହେଲାଣି ଯେ, ମୃତଦେହଗୁଡ଼ିକୁ ରଖିବାକୁ ପର୍ଯ୍ୟାପ୍ତ ସ୍ଥାନ ନାହିଁ । ମୃତଦେହଗୁଡ଼ିକୁ ନୁୱାକୋଟ, ଚିତୱାନ, ତାନାହୁନ ଓ ନବଲପରାସି ସମେତ କେନ୍ଦ୍ରୀୟ ନେପାଳର ବିସ୍ତୃତ ଅଞ୍ଚଳରେ ଉଦ୍ଧାର କରାଯାଇଛି । ସ୍ଥାନୀୟ ହସ୍ପିଟାଲଗୁଡ଼ିକରେ ସ୍ଥାନ ସରିଯିବା ପରେ ଅନେକ ଜିଲ୍ଲାର କର୍ତ୍ତୃପକ୍ଷ ମୃତଦେହଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଛନ୍ତି । ଅଧିକ ମୃତଦେହ ଉଦ୍ଧାର ହେଲେ ଏସବୁର ସଂରକ୍ଷଣ ପାଇଁ ଅସ୍ଥାୟୀ ସୁବିଧା ପ୍ରସ୍ତୁତ କରାଯାଉଛି ।
