ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ପୂର୍ବତନ କଂଗ୍ରେସ ନେତା ତଥା ସାଂସଦ ସଜ୍ଜନ କୁମାରଙ୍କ ୮୦ ବର୍ଷ ବୟସରେ ନିଧନ ହୋଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ଗୁରୁବାର ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ଅଣାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ୧୯୮୪ ମସିହାର ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ତିହାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ ।୨୦୧୮ରେ ଦିଲ୍ଲୀ ହାଇକୋର୍ଟ ୧୯୮୪ ଦଙ୍ଗା ସହ ଜଡ଼ିତ ଏକ ମାମଲାରେ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ । ପରେ ସେ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କିନ୍ତୁ କୋର୍ଟ ଏହାକୁ ଖାରଜ କରିଥିଲେ । ୨୦୨୨ ଏପ୍ରିଲରେ ତାଙ୍କୁ ଦଙ୍ଗା ସମ୍ବନ୍ଧୀୟ ଏକ ମାମଲାରେ ଜାମିନ ମିଳିଥିଲା, କିନ୍ତୁ ଦ୍ବିତୀୟ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଯୋଗୁଁ ଜେଲରେ ବନ୍ଦୀ ହୋଇଥିଲେ ।ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସଜ୍ଜନ କୁମାର କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେ ଦିଲ୍ଲୀର ତିହାର ଜେଲରେ ଥିଲେ । ସଜ୍ଜନ କୁମାର ୧୯୪୫ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୮୦, ୧୯୯୧ ଏବଂ ୨୦୦୪ରେ ବାହ୍ୟ ଦିଲ୍ଲୀ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇ ତିନିଥର ସାଂସଦ ହୋଇଥିଲେ । ୧୯୮୪ ଦଙ୍ଗା ମାମଲାରେ ତାଙ୍କ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କର ଦୀର୍ଘ ରାଜନୈତିକ ଜୀବନରେ ବଡ଼ ପରିବର୍ତ୍ତନ ଆସିଥିଲା । ଦୀର୍ଘ ୭ ବର୍ଷ ହେଲାଣି ଦିଲ୍ଲୀରେ ତିହାର ଜେଲରେ ବନ୍ଦୀ ହୋଇ ରହିଥିଲେ ।
