ଆଉ ମାତ୍ର କିଛି କ୍ଷଣର ଅପେକ୍ଷା, ସରିଛି ପ୍ରସ୍ତୁତି

ଇସ୍ରୋ ଆରମ୍ଭ କରିବାକୁ ଯାଉଛି ମିଶନ ସୂର୍ଯ୍ୟ

ପୁଣିଥରେ ଇତିହାସ ରଚିବାକୁ ଯାଉଛି ଇସ୍ରୋ। ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ର ସଫଳ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ-ଏଲ୍-୧’ ଆରମ୍ଭ କରିବାକୁ ଯାଉଛି । ଆଉ ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୨ ତାରିଖରେ ପିଏସଏଲଭି- ଏକ୍ସଏଲ ରକେଟ୍ ସାହାଯ୍ୟରେ ଉତଷେପଣ କରାଯିବ । ଯାହା ସୂର୍ଯ୍ୟ ଏବଂ ପୃଥିବୀ ମଝିରେ ଥିବା ଏଲ୍-୧ରେ ପହଂଚିବ । ଏହି ସ୍ଥାନରେ ପହଞ୍ଚିବା ପରେ ଆଦିତ୍ୟ-ଏଲ-୧ ସୂର୍ଯ୍ୟ ଉପରେ ନିଜର ଅନୁସନ୍ଧାନ ଜାରିକରିବ । ପ୍ରତୀତି ମୁହୂର୍ତ୍ତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଇବା ଆରମ୍ଭ କରିବ ।

ଉତକ୍ଷେପଣ ପୂର୍ବରୁ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି, ଆଦିତ୍ୟ ଏଲ୍-୧ ଅଭିଯାନ ପାଇଁ ପ୍ରସ୍ତୁତି ଚାଲିଛି । ଶନିବାର ପୂର୍ବାହ୍ନ ୧୧ଟା ୫୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଏହି ଅଭିଯାନ ଆରମ୍ଭ ହେବ । ଆଦିତ୍ୟ ଏଲ-୧ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଏକ ପ୍ରତିଶତ ଦୂରତା ଅତିକ୍ରମ କରି ଏଲ-୧ ପଏଣ୍ଟରେ ପହଞ୍ଚିବ । ଏଲ୍-୧ ହେଉଛି ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଥିବା ଦୂରତାର ୧ ପ୍ରତିଶତ, ଅର୍ଥାତ୍ ୧୫ଲକ୍ଷ କିଲୋମିଟର । ତେବେ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଦୂରତା ୧୫ କୋଟି କିଲୋମିଟର । ଆଦିତ୍ୟ ଏଲ-୧ ମିଶନ ହେଉଛି ଇସ୍ରୋର ପ୍ରଥମ ମହାକାଶ ମିଶନ, ଯାହା ସୂର୍ଯ୍ୟକୁ ନିରୀକ୍ଷଣ କରିବ । ସତରେ ଇସ୍ରୋର ଏହି ଗୋଟିଏ ଗୋଟିଏ ପଦକ୍ଷେପ ମହାକାଶ ଗବେଷଣା ଦିଗରେ ଏକ ନୂଆ ଇତିହାସ ସୃଷ୍ଟି କରିବ । ସବୁଠି ଏବେ ଭାରତର ଜୟଗାନ ।