ଆର୍ଜି କର ଦୁଷ୍କର୍ମ ଓ ହତ୍ୟା ମାମଲାର ପୁନଃ ତଦନ୍ତ ନିର୍ଦ୍ଦେଶ ଦେଲେ ଶୁଭେନ୍ଦୁ ଅଧିକାରୀ
ଆର୍ଜି କର ଦୁଷ୍କର୍ମ ଓ ହତ୍ୟା ମାମଲାର ପୁନଃ ତଦନ୍ତ ନିର୍ଦ୍ଦେଶ ଦେଲେ ଶୁଭେନ୍ଦୁ ଅଧିକାରୀ। ଦୁଇ ବର୍ଷ ତଳେ ଅଗଷ୍ଟ ୯, ୨୦୨୪ରେ କୋଲକାତାର ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ୩୧ ବର୍ଷୀୟ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାର ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେତେବେଳେ ପଶ୍ଚିମବଙ୍ଗର ଏହି ଲଜ୍ଜାଜନକ ତଥା ଲୋମହର୍ଷକ ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା।ପଶ୍ଚିମବଙ୍ଗରେ ସରକାର ବଦଳିବା ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏହି ଚର୍ଚ୍ଚିତ ଦୁଷ୍କର୍ମ ଓ ହତ୍ୟା ଘଟଣାର ପୁନଃ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମୃତ ଡାକ୍ତରଙ୍କ ମା’ ରତ୍ନା ଦେବନାଥ ବର୍ତ୍ତମାନ ବିଜେପି ବିଧାୟିକା ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଝିଅ ସହିତ ହୋଇଥିବା ଅମାନବୀୟ ଘଟଣାର ପୁନଃ ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ମୁଖ୍ୟ ସଚିବ ଓ ବିଶେଷଜ୍ଞଙ୍କ ଏକ ଦଳ ସହିତ ବ୍ୟାପକ ଆଲୋଚନା ପରେ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର କମିଶନ ଆଇନ, ୧୯୫୨ ଅନୁଯାୟୀ ନୂତନ ଭାବେ ତଦନ୍ତ କରିବାକୁ ଘୋଷଣା କରିଛନ୍ତି।ମୁଖ୍ୟମନ୍ତ୍ରୀ ଅଧିକାରୀ ଅଭିଯୋଗ କରିଛନ୍ତି ଯେ, ପୁଲିସ ଏହି ମାମଲାରେ ସଠିକ୍ ଭାବରେ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଥିଲା। ମୁଖ୍ୟମନ୍ତ୍ରୀ ପୀଡିତାଙ୍କ ଶବଦାହ ସମୟରେ ହୋଇଥିବା ଅଭିଯୋଗର ପୃଥକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓ ଦାୟୀ ଲୋକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
