ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କେନ୍ଦ୍ର ସରକାର ଏବେ କଡ଼ା ଆଭିମୁଖ୍ୟ

ପ୍ରଶ୍ନପତ୍ର ଲିକ୍‌କୁ ନେଇ କ୍ୟାବିନେଟରେ ଚର୍ଚ୍ଚା

ଦେଶରେ ବଢ଼ୁଥିବା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କେନ୍ଦ୍ର ସରକାର ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ଗୁରୁତର ପ୍ରସଙ୍ଗ ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରମୁଖ ଆଲୋଚ୍ୟ ବିଷୟ ପାଲଟିଛି । ପ୍ରଶ୍ନପତ୍ର ଲିକ୍‌କୁ ରୋକିବା ପାଇଁ ଆଇନକୁ ଆହୁରି କଡ଼ା କରିବା ସହ ଆଗାମୀ ପଦକ୍ଷେପ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଚାଲିଛି ଏବଂ ପ୍ରଶ୍ନପତ୍ର ଲିକ୍‌ରେ ଜଡ଼ିତ ଅଭିଯୁକ୍ତମାନେ ବର୍ତ୍ତମାନ ଜେଲରେ ଅଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ, ପରୀକ୍ଷା ବ୍ୟବସ୍ଥାର ସ୍ୱଚ୍ଛତା ସହ କୌଣସି ପ୍ରକାରର ସାଲିସ୍ କରାଯିବ ନାହିଁ ।

ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କଡ଼ା ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, “ପ୍ରଶ୍ନପତ୍ର ଲିକ୍ କୌଣସି ଛୋଟ କଥା ନୁହେଁ । ଏହା ଯୁବପିଢ଼ିର ପରିଶ୍ରମ ଓ ସ୍ୱପ୍ନ ଉପରେ ସିଧାସଳଖ ଆଘାତ।” ଏପରି ଅପରାଧକୁ ରୋକିବା ପାଇଁ ସରକାର ସଂସଦରେ ଏକ କଡ଼ା ବିଲ୍ ପାରିତ କରିବାକୁ ପ୍ରୟାସ କରିବେ ବୋଲି ସେ କହିଛନ୍ତି । ପ୍ରଶ୍ନପତ୍ର ଲିକ୍ ଭଳି ଘଟଣା ଉପରେ ସ୍ଥାୟୀ ରୋକ ଲଗାଇବା, ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ କରିବା ଏବଂ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ଏବେ ସମଗ୍ର ଦେଶର ନଜର ରହିଛି ।

Leave a Reply

Your email address will not be published. Required fields are marked *