ଅନଶନ ସମାପ୍ତ କରିବା ପାଇଁ ୩ ସର୍ତ୍ତ ରଖିଲେ ସୋନମ ୱାଙ୍ଗଚୁକ୍
ଅନଶନ ଭାଙ୍ଗିବା ପାଇଁ ତିନି ସର୍ତ୍ତ ରଖିଛନ୍ତି ଶିକ୍ଷାବିତ ସୋନମ୍ ଓ୍ୱାଙ୍ଗଚୁକ୍ । ଦୀର୍ଘ ୨୦ ଦିନରୁ ଅଧିକ ସମୟ ଧରି ଆମରଣ ଅନଶନରେ ରହିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ୱାଙ୍ଗଚୁକ୍ । ସୋନମ ଅନଶନ ଭାଙ୍ଗିବାକୁ ଆଜି ତିନୋଟି ସର୍ତ୍ତ ରଖିଛନ୍ତି । ସର୍ତ୍ତ ପୂରଣ ହେଲେ ହିଁ ଉପବାସ ଶେଷ କରିବେ ବୋଲି ଜଣାଇଛନ୍ତି । ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ତାଙ୍କର ହାତ ଲେଖା ଚିଠି ସାମ୍ନାକୁ ଆସିଛି ।
ଓ୍ୱାଙ୍ଗଚୁକଙ୍କ ପ୍ରଥମ ସର୍ତ୍ତ ହେଉଛି, ସରକାର ଶିକ୍ଷା ବ୍ୟବସ୍ଥାର ବିଫଳତା ପାଇଁ ଦାୟିତ୍ୱ ନିଅନ୍ତୁ । ଦ୍ୱିତୀୟ ସର୍ତ୍ତ ହେଉଛି, ରାଜନୈତିକ ନେତାମାନେ ତାଙ୍କୁ ଆଶ୍ୱାସନା ଦିଅନ୍ତୁ ଯେ, ସଂସଦରେ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ଉଠାଇବେ । ତୃତୀୟରେ, ଯଦି ତାଙ୍କ ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ କାରଣରୁ ସେ ଆଜି ସଂସଦ ପର୍ଯ୍ୟନ୍ତ ଯାତ୍ରାରେ ଯୋଗ ଦେବାକୁ ଅସମର୍ଥ ହୁଅନ୍ତି, ତେବେ ରାଜନୈତିକ ନେତାମାନେ ହସ୍ପିଟାଲକୁ ଆସି ଉପରୋକ୍ତ ଦୁଇଟି ସର୍ତ୍ତର ଆଶ୍ୱାସନା ଦେବେ ।
ତେବେ ଚିଠିର ଶେଷରେ ସେ ଲେଖିଛନ୍ତି ଯେ, ତାଙ୍କ ଗତିବିଧିର ସ୍ୱାଧୀନତା, ବାକ୍ ସ୍ୱାଧୀନତା ଏବଂ ସମସ୍ତ ଯୋଗାଯୋଗ ଅବୈଧ କାରାଗାରରେ ସୀମିତ କରାଯାଇଛି ।
