ଆସିଲା ଓମ୍ ର ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ
ବାଲିଅନ୍ତା ଭିଡ଼ ହିଂସା ମାମଲାରେ ଆସିଲା ଓମ୍ ର ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ । ଓମ ସତ କହିଥିବା ସୂଚନା ମିଳିଛି । ଭୁବନେଶ୍ବର ସ୍ଥିତ ଏସଏଫଏସଏଲରେ ତାଙ୍କର ପଲିଗ୍ରାଫ୍ ଟେଷ୍ଟ କରାଯାଇଥିଲା । ଏହି ମାମଲାରେ ୫ରୁ ୬ ଜଣ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି । ଏହି ମାମଲାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ ହେବ ଚାର୍ଜସିଟ । ଫେରାର ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।ଗତ ମେ ୭ ତାରିଖରେ ବାଲିଅନ୍ତାର ରାମଚନ୍ଦ୍ରପୁରରେ ଅଭାବନୀୟ ଘଟଣା ଘଟିଥିଲା । ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ଏବଂ ତାଙ୍କ ବନ୍ଧୁ ଓମ୍ ପ୍ରକାଶ ରାଉତ ବାଇକରେ ଯାଉଥିବା ବେଳେ ଏକ ସ୍କୁଟିରେ ଯାଉଥିବା ଦୁଇଜଣ ଯୁବତୀଙ୍କ ସହ ଧକ୍କା ହୋଇଥିଲା । ଯୁବତୀ ଦ୍ୱୟ ସୌମ୍ୟଙ୍କ ବିରୋଧରେ ଦୁର୍ବ୍ୟବହାର ଓ ଆକ୍ରମଣ ଉଦ୍ୟମର ଅଭିଯୋଗ ଆଣିଥିଲେ । ଏହାପରେ ପ୍ରାୟ ୪୦ ରୁ ୫୦ ଜଣ ଉତ୍ତ୍ୟକ୍ତ ଲୋକଙ୍କର ଏକ ଗୋଷ୍ଠୀ ସୌମ୍ୟଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ । ବାଲିଅନ୍ତା ଭିଡ଼ ହିଂସାରେ ଜିଆରପି କନେଷ୍ଟବଳ ସୌମ୍ୟରଂଜନ ସ୍ବାଇଁଙ୍କ ମୃତ୍ୟୁ ଘଟିଥିଲା । ସେତେବେଳେ ଘଟଣାସ୍ଥଳରେ ସୌମ୍ୟଙ୍କ ସହ ତାଙ୍କ ସାଙ୍ଗ ଓମ୍ ପ୍ରକାଶ ରାଉତ ଥିଲେ । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
