ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି
ଆଜି ରାଇରଙ୍ଗପୁରରେ ପହଞ୍ଚିବେ ରାଷ୍ଟ୍ରପତି । ଜନ୍ମମାଟିରେ ପାଳିବେ ଜନ୍ମଦିନ । ସାମିଲ ହେବେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ଗାଁ ବୁଲିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି ।ମୟୂରଭଞ୍ଜ ପାଇଁ ହେବ ଐତିହାସିକ ମୂହୁର୍ତ୍ତ । ଯୋଡ଼ି ହେବ ନୂଆ ଅଧ୍ୟାୟ । ରାଇରଙ୍ଗପୁରରେ ଏକାଠି ହେବେ ଦେଶର ଦୁଇ ଶୀର୍ଷ ନେତୃତ୍ୱ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ପାଳନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁଇ ମୁଖ୍ୟଙ୍କ ସ୍ୱାଗତ ପାଇଁ ସଜେଇ ହେଲାଣି ରାଇରଙ୍ଗପୁର ସମେତ ପୂରା ମୟୂରଭଞ୍ଜ । ଲାଗିଲାଣି ସ୍ୱାଗତ ପୋଷ୍ଟର ଓ ହୋର୍ଡିଂ । ସମାବେଶ ପାଇଁ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ । ଏବେ ଅପେକ୍ଷା ମାଟିର ଝିଅ ଓ ନବ ଭାରତର ନିର୍ମାତା ନରେନ୍ଦ୍ର ମୋଦୀଙ୍କୁ ।
ଅପରାହ୍ଣ ୩ଟା ୧୫ରେ ରାଇରଙ୍ଗପୁରରେ ପହଞ୍ଚିବେ ରାଷ୍ଟ୍ରପତି । ମହୁଲଡ଼ିହାସ୍ଥିତ ନିଜ ବାସଭବନରେ ରାତ୍ରିଯାପନ କରିବେ । ତାପର ଦିନ ଜନ୍ମମାଟିରେ ପାଳନ କରିବେ ଜନ୍ମଦିନ । ୨୦ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ପାହାଡ଼ପୁରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱାଗତ କରିବେ ରାଷ୍ଟ୍ରପତି । ସେଠାରୁ ଉଭୟ ପାହାଡ଼ପୁରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ପୂଜାସ୍ଥଳକୁ ଯାଇ ପୂଜାର୍ଚ୍ଚନା କରିବା ପରେ ଦକ୍ଷତା ବିକାଶ କେନ୍ଦ୍ରକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିବେ । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଗସ୍ତ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ରାଇରଙ୍ଗପୁର ।
ଏହି ଅବସରରେ ରାଜ୍ୟ ସରକାଙ୍କ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ୨ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗେ ଦେବେ। ରାଜ୍ୟବାସୀଙ୍କ ଆଗରେ ଡବଲ ଇଞ୍ଜିନ ସରକାରଙ୍କ ସଫଳତା ଗଣାଇବେ । ନିର୍ମାଣ ସରିଥିବା ବହୁ ପ୍ରକଳ୍ପର ଉଦଘାଟନ କରିବା ସହ ଅନେକ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏମ୍ସର ସାଟେଲାଇଟ୍ ସେଣ୍ଟର, ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ, କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ, ଆଇଆଇଏଫ୍ଏମ୍, ୨ଟି ନବୋଦୟ ବିଦ୍ୟାଳୟ, ତୀରନ୍ଦାଜୀ ଏକାଡେମି ପାଇଁ ପ୍ରସ୍ତୁତି ସରିଛି । ଶିକ୍ଷା ଠାରୁ ସ୍ୱାସ୍ଥ୍ୟ, ପ୍ରତିଟି କ୍ଷେତ୍ରରେ ବିକଶିତ ଓଡ଼ିଶାର ଝଲକ ରାଇରଙ୍ଗପୁରରେ ଦେଖିବାକୁ ମିଳିବ। ଆଗୁଆ ହେବ ପଛୁଆ ମୟୂରଭଞ୍ଜ ।
