ବାରିପଦା ସହରରୁ ମିଳିଲା ୧.୫ କୋଟି ବର୍ଷ ତଳର ସାମୁଦ୍ରିକ ଜୀବାଶ୍ମ
ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରୁ ପ୍ରାୟ ୧.୫ କୋଟି ବର୍ଷ ତଳର ମାୟୋସିନ୍ ଯୁଗର ସାମୁଦ୍ରିକ ଜୀବାଶ୍ମ ମିଳିଛି । ବର୍ତ୍ତମାନର ସ୍ଥଳଭାଗ ବାରିପଦା ଦିନେ ଏକ ଗଭୀର ସମୁଦ୍ର ଗର୍ଭରେ ଥିଲା । ଗବେଷକମାନେ ଏଠାରୁ ପ୍ରାଚୀନ ସାର୍କର ଦାନ୍ତ, ମେରୁଦଣ୍ଡ ଏବଂ ଶଙ୍କର ମାଛର ଜୀବାଶ୍ମ ପାଇଛନ୍ତି । ଏହାସହ କୁମ୍ଭୀର, ବିଭିନ୍ନ ପ୍ରକାରର ମାଛ ଏବଂ ଶାମୁକା ଜାତୀୟ ଜୀବଙ୍କ ଅବଶେଷ ମିଳିଛି ।ଏହି ଜୀବାଶ୍ମଗୁଡ଼ିକ ଦର୍ଶାଉଛି ଯେ ସମୁଦ୍ର ଏବେ ବାରିପଦାଠାରୁ ପ୍ରାୟ ୬୦ କିଲୋମିଟର ଦୂରକୁ ଘୁଞ୍ଚି ଯାଇଛି । ଏହି ପଥର ପାଲଟିଯାଇଥିବା ଶକ୍ତ ଅବଶେଷଗୁଡ଼ିକୁ ସ୍ଥାନୀୟ ଲୋକେ ପୂର୍ବରୁ ଅସୁର ହାଡ଼ ବୋଲି କହୁଥିଲେ । ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଗବେଷକ ଏବଂ INTACH ପକ୍ଷରୁ ଏହି ସ୍ଥାନର ସୁରକ୍ଷା ପାଇଁ ଦାବି କରାଯାଇଛି । ବୁଢ଼ାବଳଙ୍ଗ ନଦୀ ଶଯ୍ୟାରେ ଥିବା ଏହି ଅଞ୍ଚଳକୁ ଏକ ସଂରକ୍ଷିତ ସାମୁଦ୍ରିକ ଜୀବାଶ୍ମ ପାର୍କ ଭାବେ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ଯାହାଦ୍ୱାରା ଏଠାରେ ବୈଜ୍ଞାନିକ ଗବେଷଣା ଓ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି କୁହାଯାଇଛି ।
