ଓଡ଼ିଶା ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦ ମାଷ୍ଟର ପ୍ଲାନ
ନୂଆଦିଲ୍ଲୀରେ ନୀତି ଆୟୋଗର ୧୧ତମ ଗଭର୍ଣ୍ଣିଂ କାଉନସିଲ ବୈଠକ ଅନୁଷ୍ଠିତ । ନୀତି ଆୟୋଗ ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିକଶିତ ଓଡ଼ିଶା ପାଇଁ ୧୦ ମାଷ୍ଟର ପ୍ଲାନ ଉପସ୍ଥାପନ କରିଛନ୍ତି । ଆର୍ଥିକ ସୁସ୍ଥତାରେ ଓଡ଼ିଶା ଦେଶରେ ଏକ ନମ୍ବର ବୋଲି କହିଛନ୍ତି ମୋହନ । ଡବଲ-ଇଞ୍ଜିନ ସରକାରଙ୍କ ଅଧୀନରେ ଓଡ଼ିଶା ୨୦୨୫-୨୬ ଆର୍ଥିକ ବର୍ଷରେ ୭.୯ ପ୍ରତିଶତ ଆର୍ଥିକ ଅଭିବୃଦ୍ଧି ହାର ହାସଲ କରିଛି । ଏହା ସହିତ ନୀତି ଆୟୋଗର ‘ଫିସ୍କାଲ ହେଲ୍ଥ ଇଣ୍ଡେକ୍ସ ୨୦୨୬ରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେଳବାଇରେ ୧୦ହଜାର ୯୨୮ କୋଟି ଟଙ୍କା ମିଳିଥିବା ବେଳେ ବର୍ତ୍ତମାନ ରାଜ୍ୟରେ ୯୦ହଜାର କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପ କାମ ଚାଲିଛି ।
ସାଗରମାଳା ଓ ପିଏମ ଗତି ଶକ୍ତି ଅଧୀନରେ ପ୍ରସ୍ତାବିତ ବାହୁଦା ଗଭୀର ସମୁଦ୍ର ବନ୍ଦର ଏବଂ ଜାତୀୟ ଜଳପଥ-୫ ଓଡ଼ିଶାକୁ ଏକ ପ୍ରମୁଖ ଲଜିଷ୍ଟିକ୍ ହବ୍ ରେ ପରିଣତ କରିବ । ଭାରତ ସେମିକଣ୍ଡକ୍ଟର ମିଶନ ଅଧୀନରେ ଓଡ଼ିଶାରେ ଦୁଇଟି ବଡ଼ ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହା ରାଜ୍ୟର ଶିଳ୍ପ ଭିତ୍ତିଭୂମିକୁ ସଦୃଢ଼ କରିବା ସହ ଉନ୍ନତ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରିଂ କ୍ଷେତ୍ରରେ ଓଡ଼ିଶାକୁ ଏକ ନୂଆ ପରିଚୟ ଦେବ ।ଶିଶୁର ଜନ୍ମରୁ ପ୍ରଥମ ୨ ବର୍ଷ ମଧ୍ୟରେ ତା’ର ୮୫% ମସ୍ତିଷ୍କ ବିକାଶ ହେଉଥିବାରୁ ୦-୩ ବର୍ଷର ଶିଶୁଙ୍କ ଯତ୍ନ ପାଇଁ ରାଜ୍ୟରେ ‘ଆମ କୁନି ପିଲା’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଶିଶୁ ଯତ୍ନ କ୍ଷେତ୍ରରେ ମାଙ୍କ ସହ ବାପାଙ୍କ ଭୂମିକାକୁ ମଧ୍ୟ ସାମିଲ କରାଯାଉଛି। ରାଜ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦କୁ ଆପଣାଇ ପ୍ରାୟ ୩ଲକ୍ଷ ୧୭ହଜାର ଶିଶୁଙ୍କ ପାଇଁ ୪୪ହଜାର ୮୭୫ଟି ‘ଶିଶୁ ବାଟିକା’ ଶ୍ରେଣୀଗୃହ ପ୍ରତିଷ୍ଠା କରାଯାଇଛି ।
ଏହା ସହ ପ୍ରତି ପଞ୍ଚାୟତରେ ଗୁଣାତ୍ମକ ଶିକ୍ଷା ପାଇଁ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ସ୍ଥାପନ କରାଯାଉଛି। ଓଡ଼ିଶାର ଜନଜାତି ପିଲାମାନଙ୍କ ପାଇଁ ୨୧ଟି ଆଦିବାସୀ ଭାଷାରେ ବହୁଭାଷୀ ଶିକ୍ଷା ପ୍ରଦାନ କରାଯାଉଛି। ଝିଅମାନଙ୍କ ଶିକ୍ଷା ଓ ସଶକ୍ତୀକରଣ ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳା ଯୋଜନା’ ଅଧୀନରେ ପାଠପଢ଼ାର ବିଭିନ୍ନ ପର୍ଯ୍ୟାୟରେ ସହାୟତା ସହ ୨୧ ବର୍ଷ ବୟସରେ ଏକଲକ୍ଷ ଏକ ଟଙ୍କାର ଆର୍ଥିକ ଲାଭ ଦିଆଯାଉଛି । ୧୦ଟି ସରକାରୀ ଆଇଟିଆଇକୁ ‘ଉତ୍କର୍ଷ ଆଇଟିଆଇ’ ଭାବେ ଏବଂ ୨୨ଟି ଆଇଟିଆଇକୁ କେନ୍ଦ୍ର ସରକାରଙ୍କ ‘ପିଏମ୍ ସେତୁ’ ଯୋଜନା ଓ PPP ମୋଡ୍ ରେ ବିଶ୍ୱସ୍ତରୀୟ କରାଯାଉଛି ।‘ସୁଦକ୍ଷା’ ଯୋଜନା ମାଧ୍ୟମରେ ଝିଅମାନଙ୍କୁ ମାଗଣା ବୈଷୟିକ ଶିକ୍ଷା ଦିଆଯାଉଥିବାରୁ ଆଇଟିଆଇରେ ମହିଳା ନାମଲେଖା ପ୍ରାୟ ୩୦%କୁ ବୃଦ୍ଧି ପାଇଛି ।
ଭୁବନେଶ୍ୱର ପରେ ଏବେ ସମ୍ବଲପୁର ଓ ବ୍ରହ୍ମପୁରରେ ନୂଆ ଓ୍ୱାର୍ଲ୍ଡ ସ୍କିଲ୍ ସେଣ୍ଟର କ୍ୟାମ୍ପସ ଖୋଲାଯିବ, ଯେଉଁଠାରେ ମେରିନ୍, ଏଗ୍ରିଟେକ୍, ଅକ୍ଷୟ ଶକ୍ତି ଏବଂ ହସ୍ପିଟାଲିଟି ଭଳି ଆଧୁନିକ କ୍ଷେତ୍ରରେ ଉଚ୍ଚତର ପ୍ରଶିକ୍ଷଣ ଦିଆଯିବ । IIIT ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଓ AI ସମ୍ବନ୍ଧୀୟ କୋର୍ସ ଆରମ୍ଭ ହୋଇଛି । ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ସମସ୍ତ ୩୧୪ଟି ବ୍ଲକରେ ବହୁମୁଖୀ ଷ୍ଟାଡିୟମ ନିର୍ମାଣ କରୁଛି । ଏହା ଦ୍ଵାରା ୧୨ ଲକ୍ଷରୁ ଅଧିକ ଗ୍ରାମୀଣ ଓ ଜନଜାତି ଯୁବକ ଉପକୃତ ହେବେ । ‘ଫିଟ୍ ଓଡ଼ିଶା ମିଶନ’ ଏବଂ ‘ସିଏମ୍ ଟ୍ରଫି’ ମାଧ୍ୟମରେ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରାଯାଉଛି । ‘ଏଗ୍ରିଷ୍ଟାକ୍’ ମାଧ୍ୟମରେ ୩ କୋଟିରୁ ଅଧିକ ଜମିର ସଠିକ୍ ଡିଜିଟାଲ୍ ସର୍ଭେ ଶେଷ ହୋଇଛି । ସେହିପରି ପ୍ରଶାସନକୁ ସ୍ୱଚ୍ଛ ଓ ଜନକୈନ୍ଦ୍ରିକ କରିବା ପାଇଁ ‘ଆମ ସାଥୀ’ ଭଳି ଏକ ବହୁଭାଷୀ ଓ ଭଏସ୍-ଏନେବୁଲ୍ଡ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ପ୍ଲାଟଫର୍ମ ବ୍ୟବହାର କରାଯାଉଛି, ଯାହା ସେବା ପ୍ରଦାନ ଏବଂ ସମସ୍ୟାର ସମାଧାନ ପ୍ରକ୍ରିୟାକୁ ସହଜ କରିବ ।
