ଓଡ଼ିଶାର ଖଣିଜ ଅଭିବୃଦ୍ଧି ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଓଡ଼ିଶାର ଖଣିଜ କ୍ଷେତ୍ରକୁ ଅଧିକ ସୁଦୃଢ଼ କରାଯିବ। ଜାତୀୟ ଅର୍ଥନୀତିରେ ରାଜ୍ୟର ଅବଦାନ ବୃଦ୍ଧି କରିବା ରହିଛି ଲକ୍ଷ୍ୟ । ଓଡ଼ିଶାର ଖଣିଜ ଅଭିବୃଦ୍ଧି ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ପ୍ରସ୍ତାବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ ରେଡ୍ଡୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାରେ ୪୭୧ ମିଲିଅନ୍ ଟନ୍ ଖଣିଜ ପଦାର୍ଥ ଉତ୍ପାଦନ ସହ ୪୬ହଜାର କୋଟିର ରାଜସ୍ୱ ସଂଗ୍ରହ ହୋଇଛି ।
ଏହି ପ୍ରଗତିକୁ ଆହୁରି ତ୍ୱରାନ୍ୱିତ କରିବାକୁ କେନ୍ଦ୍ରର ସକ୍ରିୟ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ନିଲାମ ହୋଇଥିବା ଖଣିଗୁଡ଼ିକ ପାଇଁ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ଶୀଘ୍ର ପ୍ରଦାନ ସହ ଶାଶୁବୋହୂମାଳୀ ବକ୍ସାଇଟ୍ ଏବଂ ଠାକୁରାଣୀ ଲୁହାପଥର ବ୍ଲକକୁ OMC ସପକ୍ଷରେ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଖଣିଜ ପରିବହନ ପାଇଁ ରେଳ ଓ ବନ୍ଦରର ତ୍ୱରିତ ବିକାଶ ଏବଂ ପରିତ୍ୟକ୍ତ କୋଇଲା ଖଣିଗୁଡ଼ିକୁ ‘ଫ୍ଲାଇଆସ୍’ ଦ୍ୱାରା ପୁର୍ନଭରଣ କରିବା ପାଇଁ ଏକ ସ୍ୱତନ୍ତ୍ର ଫ୍ରେମୱାର୍କ ଉପରେ ଗୁରୁତ୍ୱ ଦିଆଯାଇଛି । ରେଳ, ବନ୍ଦର, ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ସହ ଜଡ଼ିତ ସମସ୍ତ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ କିଷନ ରେଡ୍ଡୀ ଏକ ଯୁଗ୍ମ ଉଚ୍ଚସ୍ତରୀୟ ବୈଠକ କରିବାକୁ ପ୍ରସ୍ତାବ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁଯାୟୀ, କେନ୍ଦ୍ର-ରାଜ୍ୟ ଯୋଜନା, DMF ଏବଂ CSR ପାଣ୍ଠିକୁ ମିଳିତ ଭାବେ ଖଣି ଅଞ୍ଚଳରେ ଶତପ୍ରତିଶତ କାର୍ଯ୍ୟକାରୀ କରାଯିବ । ବୈଠକ ବେଳେ ରାଜ୍ୟର ନୂତନ ଯୋଜନା ସିଏମ୍ ସମ୍ପଦା ସଂପର୍କରେ ସୂଚନା ଦିଆଯାଇଥିଲା । ବୈଠକରେ ରାଜ୍ୟ ମୁଖ୍ୟ ସଚିବ ଅନୁ ଗର୍ଗ, କେନ୍ଦ୍ର ଖଣି ସଚିବ ଏବଂ MCL, NALCO ଭଳି ପ୍ରମୁଖ କେନ୍ଦ୍ରୀୟ PSU ର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
